ହଙ୍ଗେରୀ : ହଙ୍ଗେରୀରେ ଏକ ଜାତୀୟ ରାଜପଥରେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀକୁ ନେଇ ଯାଉଥିବା ବସଟି ବୁଦାପେଷ୍ଟର ପୂର୍ବରେ ଥିବା ଏମ୍୩ ହାଇୱେରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୩୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ରବିବାର ରାତି ୧ଟାରେ ହଙ୍ଗୋରୀ ରାଜଧାନୀ ବୁଦାପେଷ୍ଟ ଠାରୁ ପ୍ରାୟ ୧୪୦ କିମି ପୂର୍ବରେ ହୋଇଛି । ପୋଲିସ କହିବା ମୁତାବକ, ବସ୍ ଡ୍ରାଇଭର ଗଭୀର ନିଦରେ ଥିବା ଯୋଗୁଁ ଦୁର୍ଘଟଣା ଘଟିଛି । ବସରେ ୫୭ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଥିଲେ । ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିବା ବେଳେ କ୍ରେନ୍ ସାହାଯ୍ୟରେ ବସଟିକୁ ଉଠାଯାଇଛି ।
ଘଟଣାକୁ ନେଇ ହଙ୍ଗେରୀ ପ୍ରଧାନମନ୍ତ୍ରୀ ପିଟର ମିଗୟୋର କହିଛନ୍ତି, ଘଟଣାରେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି । ପୀଡିତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିବା ସହିତ ଘଟଣା ସ୍ଥଳରେ ଥିବା ଉଦ୍ଧାରକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୋଲାଣ୍ଡ ରାଷ୍ଟ୍ରପତି କେରୋଲ ନବରେକି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ମୁଁ ହଙ୍ଗେରୀ ବସ୍ ଦୁର୍ଘଟଣା ଖବର ଶୁଣି ବହୁତ ଦୁଃଖିତ । ଯେଉଁଥିରେ ଆମର କିଛି ଲୋକଙ୍କ ପ୍ରାଣହାନୀ ଘଟିଛି ।