Spread the love

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ବିଜେପିକୁ ୨୦୨୪ରେ ଚେକ ଦେବାକୁ ବିରୋଧୀ ଏକାଠି ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ବିରୋଧରେ ମତ ରଖିଛନ୍ତି ପ୍ରଶାନ୍ତ କିଶୋର ଓରଫ ପିକେ। ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ବିରୋଧୀଙ୍କ ମେଣ୍ଟ ଆଦୌ କାମ କରିବ ନାହିଁ। ବିରୋଧୀ ମେଣ୍ଟ ଅସ୍ଥିର ଓ ସେମାନଙ୍କ ବିଚାରଧାରାରେ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ଫାଇଦାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ପିକେ କହିଛନ୍ତି, “ଯଦି ଆପଣ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ଏହାର ଶକ୍ତିକୁ ବୁଝିବା ଦରକାର। ହିନ୍ଦୁତ୍ୱ, ରାଷ୍ଟ୍ରବାଦ ଓ କଲ୍ୟାଣବାଦ ହେଉଛି ବିଜେପିର ଶକ୍ତି। ଏହା ଦଳର ୩ସ୍ତରୀୟ ସ୍ତମ୍ଭ। ଆପଣ ଏହା ମଧ୍ୟରୁ ଯଦି ଦୁଇଟିକୁ ବି ଅତିକ୍ରମ କରିପାରିବେ ନାହିଁ, ତା’ହେଲେ ଆପଣ କେବେ ହେଲେ ବିଜେପିକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ।
ହିନ୍ଦୁତ୍ୱ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ହେଲେ ସବୁ ବିଚାରଧାରାକୁ ନେଇ ଗୋଟିଏ ମେଣ୍ଟ କରିବାକୁ ହେବ। ଗାନ୍ଧିବାଦୀ, ଆମ୍ବେଦକରବାସୀ, ସାମାଜବାଦୀ ଓ ବାମପନ୍ଥୀ ବିଚାରଧାରା ଗୁରୁତ୍ୱପୂର୍ଣ୍ଣ। ହେଲେ କେବଳ ବିଚାରଧାରାକୁ ନେଇ ଆପଣ ଅନ୍ଧ ଭାବେ କାହା ଉପରେ ବିଶ୍ୱାସ କରିପାରିବେ ନାହିଁ।
ମିଡିଆରେ ଥିବା ବନ୍ଧୁମାନେ ଏକାଠି ହେଉଥିବା ବିଭିନ୍ନ ଦଳର ନେତା ଓ ପାର୍ଟିକୁ ନେଇ ବିରୋଧୀ ମେଣ୍ଟ କଥା କହୁଛନ୍ତି। କିଏ କାହା ସହ ଲଞ୍ଚ କଲା, କିଏ କାହାକୁ ଚା’କୁ ନିମନ୍ତ୍ରଣ କଲା, ତା’କୁ ନେଇ ବିରୋଧୀ ମେଣ୍ଟର ଚର୍ଚ୍ଚା ହେଉଛି। ହେଲେ ମୁଁ ବିଚାରଧାରାର ମେଣ୍ଟ କଥା ସବୁବେଳେ ଭାବୁଛି। ବର୍ତ୍ତମାନ ସମୟରେ ବିଚାରଧାରାକୁ ନେଇ ସହମତି ଭିତ୍ତିରେ ମେଣ୍ଟ ଦେଖାଯାଉନି। ତେଣୁ ବିଜେପି ହାରିବାର ପ୍ରଶ୍ନ ଉଠୁନି।”
ବିହାରରେ ଜନ ସୂରଜ ଯାତ୍ରା କରି ଲୋକଙ୍କ ନିକଟବର୍ତ୍ତୀ ହେଉଥିବା ପିକେ କହିଛନ୍ତି, “ବିହାର ଥିବା କୁପ୍ରଥା ଓ ବିଶ୍ୱାସକୁ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଛି। ବିହାର ଜାତିଗତ ରାଜନୀତି ଓ ଅନ୍ୟ ଭୁଲ କାମ ପାଇଁ ପରିଚିତ। ଏବେ ବିହାରର ଲୋକ ସେମାନଙ୍କ ପ୍ରକୃତ ଦକ୍ଷତା ଦେଖାଇବେ।”
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ମଧ୍ୟ ପିକେ ମତ ରଖିଛନ୍ତି। ସେ କହିଛନ୍ତି, “କେବଳ ଚାଲିଲେ କିଛି ହେବନି। ୬ ମାସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଅନେକ ପ୍ରଶଂସା ଓ ସମାଲୋଚନା ମିଳିଛି। ୬ ମାସ ଚାଲିବା ପରେ ଆପଣ ଯେମିତି ହେଲେ କିଛି ପାର୍ଥକ୍ୟ ଦେଖିବେ କି? ସେହି ଯାତ୍ରା ଦଳର ନିର୍ବାଚନ ଭବିଷ୍ୟତକୁ ସୁଧାରିବା ପାଇଁ ଥିଲା। ମୁଁ କେବଳ ମୋ ଯାତ୍ରା ସମୟରେ ୪ଟି ଜିଲ୍ଲା ମିଳିଛି। ମୋ ମତରେ ଯାତ୍ରା ମିଶନ ନୁହେଁ କିନ୍ତୁ ସ୍ଥାନୀୟ ଅଞ୍ଚଳକୁ ବୁଝିବା।”

Leave a Reply

Your email address will not be published. Required fields are marked *