Spread the love

ଭୁବନେଶ୍ବର : ଓଡ଼ିଶାରେ ଓବିସି ବର୍ଗଙ୍କୁ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ମିଳୁନି। ଏଭଳି ଅଭିଯୋଗ କରିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ କ୍ରିଷ୍ଣା ଗୌର। ଓଡ଼ିଶାରେ ବିଜେଡି ସରକାର ଏଭଳି ଦାୟିତ୍ୱହୀନତା ବିରୋଧରେ ଜନସେଚତନା ସୃଷ୍ଟି କରିବାକୁ ବିଜେପି ଓବିସି ମୋର୍ଚ୍ଚା ଆରମ୍ଭ କରିବ ଗାଁ ଗାଁ ଚାଲ ଏବଂ ଘର ଘର ଚାଲ ଅଭିଯାନ। ଆସନ୍ତା ୬ ଏପ୍ରିଲ ବିଜେପି ପ୍ରତିଷ୍ଠା ଦିବସରୁ ଏହି ଅଭିଯାନ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ। ଏନେଇ କ୍ରିଷ୍ଣା ଗୌର ସୂଚନା ଦେଇଛନ୍ତି।
ଆଜି ଦଳିୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଏହି ୯ ଦିନିଆ ଏହି ଅଭିଯାନରେ ୧ ଲକ୍ଷ ଗାଁରେ ବିଜେପି ପହଞ୍ଚି ୧୦ ଲକ୍ଷ ପରିବାରଙ୍କୁ ଭେଟିବ। ମୋଦି ସରକାରଙ୍କ ୯ ବର୍ଷର ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ଜଣାଇବ। ଓବିସି ବର୍ଗଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବୁଝାଇବ।
ରାଜ୍ୟ ସରକାରଙ୍କୁ ଟାର୍ଗଟ କରି ସେ ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଓବିସିଙ୍କ ନ୍ୟାୟ ଏବଂ ଅଧିକାରକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର। ୨୭ ପ୍ରତିଶତ ସଂରକ୍ଷଣ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ସରକାର ସେଥିରୁ ବଞ୍ଚିତ କରିଛନ୍ତି। ବିଜେପି ଓବିସି ମୋର୍ଚ୍ଚା ଏହାକୁ ଲାଗୁ ନିମନ୍ତେ ବାରମ୍ବାର ଦାବି କରୁଛି। ମାତ୍ର ରାଜ୍ୟ ସରକାର ଦୃଷ୍ଟି ଦେଉନି। ଯଦି ରାଜ୍ୟ ସରକାର ସଂରକ୍ଷଣ ନ ଦିଅନ୍ତି ତାହେଲେ ଏହି ସଂଘର୍ଷ ଆଗକୁ ଆନ୍ଦୋଳନର ରୂପ ନେବ।
ଓବିସି ସଂଖ୍ୟା ସ୍ପଷ୍ଟ ଭାବେ ଜାଣିବାକୁ ମଧ୍ୟପ୍ରଦେଶ ସରକାର ଡ଼ୋର ଟୁ ଡୋର ସର୍ଭେ କରି ଜନଗଣନା କଲେ। ହେଲେ ଓଡ଼ିଶା ସରକାର କରୁଥିବା ସର୍ଭେ ସଠିକ୍ ନୁହେଁ। ସରକାରଙ୍କ ଇଚ୍ଛା ଶକ୍ତି ଥିଲେ ଟ୍ରିପଲ ଟେଷ୍ଟ କରି ସଂରକ୍ଷଣ ଦେଇ ପରିଥାନ୍ତେ। ହେଲେ ତାହା ନକରି ବିନା ସଂରକ୍ଷଣରେ ନିର୍ବାଚନ କରିଦେଲେ।
ମୋଦି ସରକାର ପଛୁଆ ବର୍ଗଙ୍କୁ ବିକାଶ ରାସ୍ତାରେ ଯୋଡ଼ିବାକୁ ଚାହୁଁଛନ୍ତି। ସେମାନଙ୍କୁ ପୁଞ୍ଜି ଓ ଆତ୍ମନିର୍ଭର ହେବାର ସୁଯୋଗ ଯୋଗାଇ ଦେଇ ସ୍ୱାବଲମ୍ବି କରିବାକୁ ଚାହୁଛନ୍ତି। ପ୍ରଧାନମନ୍ତ୍ରୀ ଭେଞ୍ଚର କ୍ୟାପିଟାଲ ଯୋଜନା ଏଥିନିମନ୍ତେ ଆରମ୍ଭ କରାଯାଇଛି। ଏହି ଯୋଜନାରେ ଋଣକୁ ୫୦ ଲକ୍ଷରୁ ବଢ଼ାଇ ୧୫ କୋଟି ଟଙ୍କା କରାଯାଇଛି। ମାତ୍ର ଓଡ଼ିଶାରେ ପଛୁଆ ବର୍ଗଙ୍କ ବିକାଶ ହୋଇପାରୁନି। କାରଣ ଏଠାରେ ବିଜେପି ସରକାର ନାହିଁ। ଏଠାରେ କେନ୍ଦ୍ର କହିବା ମୁତାବକ ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ଫଳରେ ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ ସମେତ ଉଚ୍ଚ ଶିକ୍ଷାରେ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣର ସୁବିଧା ଅନେକ ପାଉନାହାନ୍ତି।
ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ ସେଠାରେ ଓବିସି ବର୍ଗ କେମିତି ଅବହେଳିତ ହେଉଛନ୍ତି ସେ ନେଇ ମଧ୍ୟ ସଚେତନ କରାଯିବ। କାହିଁକି ନା ଅନ୍ୟ ରାଜ୍ୟ ସରକାରମାନେ ଓବିସିଙ୍କ ପ୍ରତି ଭେଦଭାବ କରୁଛନ୍ତି। ବିକାଶ ମୁଖ୍ୟସ୍ରୋତରୁ ଦୂରରେ ରଖୁଛନ୍ତି। ତେଣୁ ତାଙ୍କୁ ନ୍ୟାୟ ଅଧିକାର ଦେବାକୁ ବିଜେପି ଓବିସି ମୋର୍ଚ୍ଚା ଏହି କାର୍ଯ୍ୟକ୍ରମକୁ ଆଗକୁ ନେବ। ମୋଦି ସରକାରଙ୍କ ସମୟରେ ଏସଇବିସି ଆୟୋଗ ଗଠନ ହୋଇଛି। ୨୭ ଜଣ ଓବିସି ବର୍ଗର ପ୍ରତିନିଧି ମନ୍ତ୍ରୀ ଦାୟିତ୍ୱ ପାଇଛନ୍ତି।
ଓଡ଼ିଶାରେ ୫୪ ପ୍ରତିଶତ ଓବିସି ବର୍ଗର। ମାତ୍ର ଓଡ଼ିଶାର ଓବିସି କମିଶନ ଦନ୍ତହୀନ ହୋଇ କାମ କରୁଛି। ଓବିସିଙ୍କ ସଠିକ୍ ଗଣନା କରାଯାଉନି। ଫଳତଃ ସେମାନଙ୍କୁ ନିର୍ବାଚନରେ ପ୍ରତିନିଧିତ୍ୱ କରିବାର ଅଧିକାର ମଧ୍ୟ ଠିକ୍ ଭାବେ ମିଳୁନି। ମଧ୍ୟପ୍ରଦେଶ ଭଳି ତ୍ରିପଲ ଟେଷ୍ଟ କରି ଓବିସି ଗଣନା କରାଯାଇ ପାରନ୍ତା। ମାତ୍ର ବିନା ଓବିସି ସଂରକ୍ଷଣ ନିର୍ବାଚନ କରାଯାଉଛି। ଏହା ନିନ୍ଦାଜନକ। ତେଣୁ ସେମାନଙ୍କୁ ଉଚିତ୍ ନ୍ୟାୟ ଦେବାକୁ ବିଜେପି ଲୋକଙ୍କୁ ଭେଟି ସେଚତନ କରିବ ବୋଲି କ୍ରିଷ୍ଣା ଗୌର କହିଛନ୍ତି।

Leave a Reply

Your email address will not be published. Required fields are marked *