ଭୁବନେଶ୍ବର : ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷାକୁ ସଂପ୍ରସାରଣ କରାଯାଇଛି। ‘ନିଦାନ’ ଅଧୀନରେ ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ସଂଖ୍ୟାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତେବେ ମେଡିକାଲ କଲେଜଗୁଡ଼ିକରେ ୨୨୧ ପ୍ରକାରର ପରୀକ୍ଷା ପୂର୍ବଭଳି ଜାରି ରହିବ। ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରୋଗୀଙ୍କ ଡାଏଗ୍ନୋଷ୍ଟିକ ପରୀକ୍ଷା କ୍ଷେତ୍ରରେ ପକେଟ ବାହାର ଖର୍ଚ୍ଚକୁ ରୋକିବା ଲାଗି ରାଜ୍ୟ ସରକାର ହାଇଏଣ୍ଡ( ଉନ୍ନତ ପରୀକ୍ଷା)କୁ ପିପିପି ମୋଡରେ କାର୍ଯ୍ୟକାରୀ କରୁଛନ୍ତି। ଏକ୍ସ-ରେ, ଏମ୍ଆରଆଇ ଓ ସିଟି-ସ୍କାନ୍ ଭଳି ସୁବିଧା ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଛି। ୨୦୧୮ ମସିହାରୁ ଏହା କାର୍ଯ୍ୟକାରୀ କରାଯାଇଛି। ତେବେ ରାଜ୍ୟ ସରକାର ଏହି ନିର୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ଏଣକି ସବ୍ସେଣ୍ଟରରେ ୧୬ ପ୍ରକାର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)ରେ ୬୫, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି)ରେ ୧୦୩, ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ୧୨୧ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୫ ପ୍ରକାରର ଡାଏଗ୍ନୋଷ୍ଟିକ୍ ପରୀକ୍ଷା ଉପଲବ୍ଧ ହେବ। ତେବେ ରୋଗୀଙ୍କ ସଂଖ୍ୟା ଓ ରୋଗକୁ ଦେଖି ଏହି ତାଲିକାରେ ସଂଶୋଧନ କରାଯାଇପାରିବ।
ସହରାଞ୍ଚଳ ସିଏଚ୍ସିରେ ୩୮ ଓ ସହରାଞ୍ଚଳ ପିଏଚ୍ସିରେ ୧୪କୁ ମିଶାଇ ସମୁଦାୟ ୫୨ଟି ପାଥୋଲୋଜି ପରୀକ୍ଷା ଆଉଟସୋର୍ସିଂ ସଂସ୍ଥା ଜରିଆରେ ପ୍ରଦାନ କରାଯିବ। ବ୍ଲକ୍ ପିଏଚ୍ସି, ୟୁସିଏଚ୍ସି, ଏସ୍ଡିଏଚ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂସ୍ଥା ପକ୍ଷରୁ ନମୁନା ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରାଯିବ। ତେବେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ଯେପରି ନିର୍ଭୁଲ, ଠିକ୍ ଓ ସହଜରେ ଉପଲବ୍ଧ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରୁ ରେଫର ହୋଇଥିବା ରୋଗୀମାନଙ୍କୁ ହିଁ ଏସବୁ ଡାଏଗ୍ନୋଷ୍ଟିକ୍ ସୁବିଧା ଦିଆଯିବ। ସ୍ବାସ୍ଥ୍ୟାନୁଷ୍ଠାନର ପ୍ରମୁଖ ସ୍ଥାନଗୁଡ଼ିକରେ ଡାଏଗ୍ନୋଷ୍ଟିକ୍ ସେବା ସଂପର୍କରେ ସୂଚନା ରହିବ। ତେବେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ପରାମର୍ଶ ଦିଆଯାଇଥିବା ପରୀକ୍ଷାକୁ ଘରୋଇ କେନ୍ଦ୍ରରେ କରାଗଲେ ଏଥିପାଇଁ ରୋଗୀଙ୍କୁ କୌଣସି ପ୍ରକାର ଟଙ୍କା ଫେରସ୍ତ ଦିଆଯିବ ନାହିଁ। ଯେହେତୁ ସମସ୍ତ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ମାଗଣା ରହିଛି ତେଣୁ ଏ ବାବଦରେ ରୋଗୀଙ୍କଠାରୁ ୟୁଜର ଫି’ ବାବାଦ କୌଣସି ପ୍ରକାର ଅର୍ଥ ଆଦାୟ କରାଯିବନାହିଁ। ୟୁଜର ଫି’ ବାବଦ ହେଉଥିବା କ୍ଷତିକୁ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କୁ ଦିଆଯାଉଥିବା ବିକାଶମୂଳକ ପାଣ୍ଠିରୁ ଭରଣା କରାଯିବ। ଏନ୍କ୍ବାସ୍ ଓ ଏଇଆରବି ପକ୍ଷରୁ ଧାର୍ଯ୍ୟ ଗୁଣାବତ୍ତା ଅନୁଯାୟୀ ସମସ୍ତ ସେବା ଯୋଗାଇ ଦିଆଯିବ। ଉଭୟ ରୋଗୀ ଓ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ ଉଭୟ ଲାବୋରେଟାରି ଓ ମେଡିକାଲ ବର୍ଜ୍ୟବସ୍ତୁ ନିରାପତ୍ତା ନିର୍ଦେଶାବଳୀ କାର୍ଯ୍ୟକାରୀ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।