Spread the love

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ। ତା’ପର ଦିନ ସେ ପୁରୀ ଯିବେ। ପୁରୀରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେହି ଦିନ ତାଙ୍କର ଅନ୍ୟାନ୍ୟ କ’ଣ କାର୍ଯ୍ୟକ୍ରମ ରହିଛି, ତାହା ଜଣାପଡ଼ିନାହିଁ। ତେବେ ମାର୍ଚ୍ଚ ୨୩ ତାରିଖରେ କୋଲକାତା ଫେରିଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି। ଏହି ମେଣ୍ଟରୁ ସେ କଂଗ୍ରେସକୁ ଦୂରେଇ ରଖିବାକୁ ଯୋଜନା କରିଛନ୍ତି। ଏହି ଯୋଜନାରେ ବିଜେଡିକୁ ସାମିଲ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।
ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାର୍ଚ୍ଚ ୨୩ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଆମେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ବଜାୟ ରଖିବା ନେଇ ଅନ୍ୟ ସମସ୍ତ ବିରୋଧୀ ଦଳଗୁଡ଼ିକ ସହିତ ମଧ୍ୟ ଆଲୋଚନା କରିବୁ। ଆମେ ଥାର୍ଡ ଫ୍ରଣ୍ଟ ଗଠନ କରୁଛୁ ବୋଲି କହୁନୁ। କିନ୍ତୁ ବିଜେପିକୁ ଟକ୍କର ଦେବାକୁ ଆଞ୍ଚଳିକ ଦଳଗୁଡ଼ିକର ଦକ୍ଷତା ଅଛି ବୋଲି କହୁଛୁ।
ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ସହିତ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *