Spread the love

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚରେ ଥିବା ନବଗ୍ରହ ମନ୍ଦିରକୁ ଯିବା ସହ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ତେବେ ତାଙ୍କର ଏପରି ମନ୍ଦିର ଗସ୍ତକୁ ବିରୋଧ କରିଛନ୍ତି ବିଜେପି ଓ ମୁସଲିମ ଧର୍ମଗୁରୁ। ବୁଧବାର ସେ ମନ୍ଦିର ଗସ୍ତ କରିଥିବା ବେଳେ ସେବେଠାରୁ ବିବାଦ ଲାଗି ରହିଥିଲା। ହେଲେ ଆଜି ସେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ବିବାଦ ସୃଷ୍ଟି କରୁଥିବା ମୌଲବୀଙ୍କ ମୁହଁ ବନ୍ଦ କରି ମୁଁ ଭଲ ଭାବେ ମୋ ଧର୍ମ ବିଷୟରେ ଜାଣିଛି ବୋଲି କହିଛନ୍ତି।
ଦୁଇ ଦିନିଆ ପୁଞ୍ଚ ଗସ୍ତରରେ ଯାଇଥିବା ମୁଫତି ବୁଧବାର ନବଗ୍ରହ ମନ୍ଦିର ଯିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାର ଭିଡିଓ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ବିଜେପି ଏହାକୁ ଡ୍ରାମା କହି ତାଚ୍ଛଲ୍ୟ କରିଥିବା ବେଳେ ଉତ୍ତରପ୍ରଦେଶର ଦେଓବନ୍ଦର ଜଣେ ମୌଲାନା ମଧ୍ୟ ମୁଫତିଙ୍କୁ ଟାର୍ଗେଟ କରିଥିଲେ। ମୁଫତି ଯାହା କରିଛନ୍ତି, ତାହା ଇସଲାମରେ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।
ଇତେହାଦ ଉଲେମା ଇ-ହିନ୍ଦର ଜାତୀୟ ଉପ ସଭାପତି ମୁଫତି ଅସଦ କ୍ୱାସମୀ କହିଥିଲେ ଯେ “ମେହବୁବା ମୁଫତି ହୁଅନ୍ତି କି ଜଣେ ସାଧାରଣ ମୁସଲିମ, ସମସ୍ତେ ଆମର ଧର୍ମ କ’ଣ କହୁଛି ସେକଥା ଭଲ ଭାବେ ଜାଣିଛନ୍ତି। ଆମ ଧର୍ମରେ କ’ଣ ଅନୁମତି ଅଛି ଓ କାହାକୁ ଅସିଦ୍ଧ ଘୋଷଣା କରାଯାଇଛି, ସେକଥା ବି ସମସ୍ତଙ୍କୁ ଜଣା।
ଏଇଟା ଭାରତ। ଏଠାରେ ଜଣେ ନିଜେ ଇଚ୍ଛାରେ ଯାହା ଚାହିଁବେ କରିପାରିବେ। କିନ୍ତୁ ମେହବୁବା ମୁଫତି ଯାହା କରିଛନ୍ତି, ତା’ହା ଆଦୌ ଗ୍ରହଣୀୟ ନୁହେଁ କିମ୍ବା ଇସଲାମ ଏଥିପାଇଁ ଅନୁମତି ଦେଇନି। ସେ ଇସଲାମର ନୀତି ବାହାରେ କାମ କରିଛନ୍ତି।”
ତେବେ ମୁଫତି ନିଜର ମନ୍ଦିର ଗସ୍ତକୁ ସଠିକ ଦର୍ଶାଇଛନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଆମେ ଗଙ୍ଗା ଯମୁନା ସଂସ୍କୃତିକୁ ଅନୁସରଣ କରୁ। ମୁଁ ସବୁ ଧର୍ମକୁ ସମ୍ମାନ ଦିଏ। ଆମ ନେତେ ସ୍ୱର୍ଗତଃ ୟଶପାଲ ଶର୍ମା ଜୀ ନିର୍ମାଣ କରିଥିବା ମନ୍ଦିରକୁ ମୁଁ ଯାଇଥିଲି।
ଏହା ଗୋଟିଏ ସୁନ୍ଦର ମନ୍ଦିର। ମନ୍ଦିର ଭିତରେ ଜଣେ ମୋତେ ଗୋଟିଏ ପାତ୍ରରେ ଶ୍ରଦ୍ଧାର ସହ ଜଳ ଦେଇଥିଲା। ମୁଁ ତାଙ୍କୁ ଭଲ ପାଇବା ଓ ଶ୍ରଦ୍ଧାକୁ ସମ୍ମାନ ଦେଇଛି। ମୁଁ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଛି। ଦେଓବନ୍ଦର ମୌଲାନାଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ଚାହୁଁନି। ମୁଁ ମୋର ଧର୍ମ ବିଷୟରେ ଭଲ ଭାବେ ଜାଣିଛି। ମୁଁ କୁଆଡ଼େ ଯିବି, ସେଇଟା ମୋର ବ୍ୟକ୍ତିଗତ ଇଚ୍ଛା।”

Leave a Reply

Your email address will not be published. Required fields are marked *