Spread the love

ଭୁବନେଶ୍ବର : ଅନଲାଇଇନ ଗେମ ଜରିଆରେ ଟଙ୍କା ଜିତିବାର ଲୋଭ ଦେଖାଇ ପ୍ରାୟ ୧ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଏହି ଠକାମୀର ମାଷ୍ଟରମାଇଣ୍ଡ ବିରୋଧରେ ଭୁବନେଶ୍ୱର ଅର୍ଥନୀତିକ ଅପରାଧ ଶାଖା(EOW)ର ଅନୁରୋଧକ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଲକୁ ଆଉଟ ସର୍କୁଲାର ଜାରି କରିଛି। ବ୍ୟୁରୋ ଅଫ ଇମିଗ୍ରେସନ ମହମ୍ମଦ ସୈଫ ନାଁରେ ଏହି ସର୍କୁଲାର ଜାରି କରିଛି। ମହାଠକାମୀର ମାଷ୍ଟରମାଇଣ୍ଡ ସୈଫ ଦିଲ୍ଲୀର ଶାହୀନବାଗ ଅଞ୍ଚଳରେ ରହୁଥିବା ବେଳେ ତାଙ୍କର ସ୍ଥାୟୀ ଘର ହେଉଛି ବିହାରର ବେତିଆରେ। ସେହିପରି ସେ ଦୁବାଇରୁ ପୂରା ଅପରେସନକୁ ପରିଚାଳନା କରୁଥିଲେ।
ମୁଖ୍ୟ ଅଭିଯୁକ୍ତ ସୈଫଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ସେ ଓଡ଼ିଶାର ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇଛନ୍ତି। ସେହିପରି ପୂରା ଭାରତ କଥା ହିସାବକୁ ନେଲେ ତାଙ୍କ ମାୟାଜାଲରେ ଫସିଥିବା ଲୋକଙ୍କ ସଂଖ୍ୟା ହେଉଛି ଦେଢ଼ ଲକ୍ଷ। ପ୍ରଥମେ ସୈଫ ତାଙ୍କ ଦ୍ୱାରା ପରିଚାଳିତ ଅନଲାଇନ ଗେମିଂ ପ୍ଲାଟଫର୍ମ ବିରୋଧରେ ଗଞ୍ଜାମ ଜିଲ୍ଲାର କିଛି ଲୋକ ଅଭିଯୋଗ କରିଥିଲେ।
18Football.Com ଗେମଗିଂ ଆପ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକା ଯାଇଛି। ଏହି ଆପ୍‌ରେ ପୁଞ୍ଜି ନିବେଶ ପାଇଁ ଲୋକଙ୍କୁ ସୈଫ ଆଣ୍ଡ କୋ ଲୋଭନୀୟ ଅଫର ଦେଉଥିଲେ। ଏପରି କି ପ୍ରତିଦିନ ୩%ରୁ ଅଧିକ ରିଟର୍ଣ୍ଣ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଲୋଭର ବଶବର୍ତ୍ତୀ ହୋଇ 18football.comରେ ଲୋକମାନେ ନିଜର ଆକାଉଣ୍ଟ ଖୋଲୁଥିଲେ।
ସମସ୍ତଙ୍କୁ ରେଫରାଲ କିମ୍ବା ସିଧା ସଳଖ ଆପରେ ଲଗଇନ କରିବାକୁ କୁହଯାଉଥିଲା। ଖେଳ ଜାଣି ନଥିଲେ ବିଦେଶୀ ଗାଇଡ୍ ଯୋଗାଇ ଦିଆଯାଉଥିଲା। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରଥମେ କିଛି ଦିନ ଟଙ୍କା ଫେରସ୍ତ କରାଯାଇଥିଲା। ଏହା ଦେଖି ଲୋକମାନେ ମଧ୍ୟ ଆପ ଉପରେ ବିଶ୍ୱାସ କରିଥିଲେ। ଅଧିକ ଲାଭ ପାଇବା ପାଇଁ ଅଧିକ ଟଙ୍କା ମଧ୍ୟ ନିବେଶ କରିଥିଲେ। ଅଧିକ ଟଙ୍କା ନିବେଶ ପରେ ସୈଫ ଆଣ୍ଡ କୋ ସେସବୁ ନେଇ ଫେରାର ହୋଇଯାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠକେଇ ଟଙ୍କାକୁ ଜାଲି କମ୍ପାନୀ ନାଁରେ ହଡ଼ପ କରାଯାଇଛି। ଲୋକଙ୍କୁ ଠକିଥିବା ଗୋଟିଏ ଶେଲ କମ୍ପାନୀ ହେଉଛି କୋଲକାତା ଭିତ୍ତିକ M/s Hakim & Rustam Fabrics Pvt. Ltd.। ଏହାର ଦୁଇ ନିର୍ଦ୍ଦେଶକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ସେମାନଙ୍କୁ ଶେଲ କମ୍ପାନୀ ଚଳାଇବାକୁ କିଛି ପରିମାଣର କମିସିନ ଦିଆଯାଇଥିବା ଉଭୟ ସ୍ୱୀକାର କରିଥିଲେ। ତେବେ ସେମାନେ ସବୁ କିଛି ଦୁବାଇରୁ ଅପରେସନ କରୁଥିବା ସୈଫ ନିର୍ଦ୍ଦେଶ ଦେଉଥିଲେ।
ଅର୍ଥନୀତିକ ଅପରାଧ ଶାଖା ଏଯାଏ ୩୦୦ କୋଟି ଟଙ୍କା ନେଣଦେଣର ଟେର ପାଇଛି। ତେଣୁ ମାଷ୍ଟରମାଇଣ୍ଡ ସୈଫଙ୍କୁ ଧରିବା ପାଇଁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି। ସୈଫଙ୍କ ସମ୍ପର୍କରେ ଦେଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଇଓଡବ୍ଲ୍ୟୁ କହିଛି।

Leave a Reply

Your email address will not be published. Required fields are marked *