Spread the love

ଭୁବନେଶ୍ବର : ଘର କାନ୍ଥରୁ ଲିଭିନି ବାହାଘର ବେଳର ଲେଖା। କାନ୍ଥରେ ଧାଉଧାଉ ଜଳୁଛି ପ୍ରଭାତ ୱେଡ୍ସ ସରିତା। କାନ୍ଥରୁ ସିନା ଲିଭିନି ଲେଖା, ହେଲେ ଲିଭିଯାଇଛି ଜୀବନ ଦୀପ। ଯୌତୁକ ଜୁଈରେ ପୁଣି ବଳି ପଡ଼ିଛନ୍ତି ଜଣେ ନବବଧୂ। ଯୌତୁକ ପାଇଁ ଚାଲି ଯାଇଛି ଜୀବନ। ବଇରୀ ସାଜିଛନ୍ତି ଶାଶୂଘର ଲୋକ। ଭୁବନେଶ୍ୱର ଜରିପାଟଣାରେ ନବବଧୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୋହୂର ମରଶରୀର ଘରେ ପଡିଥିବା ବେଳେ ଫେରାର ମାରିଛନ୍ତି ଶାଶୁ, ଶ୍ୱଶୂର ଓ ସ୍ୱାମୀ। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲେ ହେଁ ଏଯାଏ କୌଣସି ଟେର ପାଇନି।
ପ୍ରାୟ ୨ ବର୍ଷ ତଳେ ଜରିପାଟଣାର ପ୍ରଭାତ ପରିଡ଼ାଙ୍କୁ ବିବାହ କରିଥିଲେ ଜଗତସିଂହପୁରର ଲକ୍ଷ୍ମୀପ୍ରିୟା ଓରଫ ସରିତା। ବିବାହର କିଛି ଦିନ ସବୁ କିଛି ଠିକଠାକ ଚାଲିଥିଲା। ହେଲେ କିଛି ମାସ ପରେ ଆସିଥିଲା ଯୌତନ ନିର୍ଯାତନା ଅଭିଯୋଗ। ଅନେକ ସମୟରେ ଅଧିକ ଯୌତୁକ ଦାବିରେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ ଶାଶୁ ଘର ଲୋକ। ନିର୍ଯାତନା ବଢ଼ୁଥିବାରୁ ୩ଥର ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ଭାଇ ଆସି ଗାଁକୁ ମଧ୍ୟ ନେଇ ଯାଇଥିଲେ। ହେଲେ ସବୁଥର ପ୍ରଭାତ ଓ ତାଙ୍କ ଘର ଲୋକ ବୁଝାସୁଝା କରି ପୁଣି ଲକ୍ଷ୍ମପ୍ରିୟାଙ୍କୁ ନିଜ ସହ ନେଉ ଆସୁଥିଲେ।
ହେଲେ ବୁଧବାର ହୋଲି ଭଳି ପବିତ୍ର ଦିନରେ ଘଟିଥିଲା ଅଘଟଣ। ରାତି ପ୍ରଭାତଙ୍କ ଘର ହଠାତ୍‌ ଲକ୍ଷ୍ମୀପ୍ରିୟାଙ୍କ ଘର ଲୋକଙ୍କୁ ଫୋନ କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ଦେହ ଭଲନାହିଁ ବୋଲି କହିଥିଲେ। ଏକଥା ଶୁଣି ପରିବାର ଲୋକ ବ୍ୟସ୍ତ ହୋଇପଡ଼ିବା ସହ ଜରିପାଟଣା ସ୍ଥିତ ପ୍ରଭାତଙ୍କ ଘରେ ପହଞ୍ଚିଥିଲେ।
ହେଲେ ପରିବାର ଲୋକ ଆସି ଦେଖିବା ବେଳକୁ ଲକ୍ଷ୍ମୀପ୍ରିୟା ନିସ୍ତେଜ ହୋଇ ତଳେ ପଡ଼ି ରହିଛନ୍ତି। ଘରେ ସ୍ୱାମୀ, ଶାଶୁ ଓ ଶ୍ୱଶୁର କେହି ବି ନାହାନ୍ତି। ସେମାନଙ୍କୁ ଝିଅ ଘର ଲୋକ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କର କୌଣସି ଖୋଜଖୋଜ ଖବର ମିଳିନାହିଁ। ଲକ୍ଷ୍ମୀପ୍ରିୟାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସମସ୍ତେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ସନ୍ଦେହ କରୁଛି।
ଲକ୍ଷ୍ମୀପ୍ରିୟାଙ୍କ ଭାଇ କହିଛନ୍ତି ଯେ “ପ୍ରଭାତ ରାତି ୧୧.୧୬ରେ ଫୋନ କରିବା ସହ ଭଉଣୀ ଆଉ ନଥିବା କହିଥିଲେ। ପୂର୍ବରୁ ୨ରୁ ୩ଥର ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ମୁଁ ନିଜେ ଆସି ଭଉଣୀଙ୍କୁ ଏଠାରୁ ନେଇଥିଲି। ଏଥର ବି ଆମେ ଉଭଣୀଙ୍କୁ ଛାଡ଼ିବାକୁ ମନା କରୁଥିଲୁ। କିନ୍ତୁ ସେମାନେ ପୁଣି ଭଉଣୀକୁ ନେଇ ଯାଇଥିଲେ। ଏଥିସହ ଭଉଣୀ ଆମ ସହ କଥା ହେଉଥିବାରୁ ଘର ଭାଙ୍ଗୁଥିବା କହିଥିଲେ। ଭଉଣୀ ଶାଶୁ ଘରକୁ ଯିବା ପରେ ଆମେ ତା’ ସହ କଥା ହୋଇ ନଥିଲୁ। କେବଳ ପହରଦିନ ମୁଁ ଫୋନ କରି କେମିତି ଅଛୁ ବୋଲି ପଚାରିଥିଲି। ବାସ ସେ ଭଲ କହି ଫୋନ କାଟି ଦେଇଥିଲା। ଏବେ ମୋ ଭଉଣୀକୁ ସେମାନେ ମାରି ଦେଇଛନ୍ତି।”
ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ମଞ୍ଚେଶ୍ୱରର ଥାନାରେ ଏତଲା ଦେଇଛନ୍ତି ତାଙ୍କ ପରିବାର ଲୋକ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ପ୍ରମାଣ ମଧ୍ୟ ସଂଗ୍ରହ କରିଛି।
ଜୋନ ୫ରୁ ଏସ୍‌ପି ସଂଜୀବ ଶତପଥି କହିଛନ୍ତି ଯେ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନାରେ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରାଯାଇଛି। ଫରେନ୍ସିକ ଟିମ ଘଟଣାର ତଦନ୍ତ କରୁଛନ୍ତି। ଘଟଣାର ତଦନ୍ତ ସବୁ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେହିପରି ଲକ୍ଷ୍ମୀପ୍ରିୟାଙ୍କ ଶାଶୁ ଘର ଲୋକ ସମସ୍ତେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ସେମାନେ ଧରାପଡ଼ିଲା ବୁଧବାର ରାତିରେ ପ୍ରକୃତରେ କ’ଣ ହୋଇଥିଲା, ସେକଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *