କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ନାବାଳିକାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଜନୈକ ଡାକ୍ତର ଦମ୍ପତିଙ୍କ ଝିଅ ୧୬ ବର୍ଷୀୟା ନାବାଳିକା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅଭିଯୁକ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ।
ପୀଡ଼ିତା ନାବାଳିକାଙ୍କ ବାପା ପୁଲିସରେ କରିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ କାନପୁରର ବିନୟ ଠାକୁର ମାର୍ଚ୍ଚ ୪ ତାରିଖରେ ନାବାଳିକାଙ୍କୁ କରରାହିର ଏମଜି କାଫେକୁ ଡାକିଥିଲେ, ଯେଉଁଠାରେ ସେମାନେ ହୁକ୍କା ପିଇଥିଲେ। ତେବେ, ଅଭିଯୁକ୍ତ ବିନୟ ନାବାଳିକାଙ୍କ ପାନୀୟରେ କିଛି ନିଶାଦ୍ରବ୍ୟ ମିଶାଇ ତାଙ୍କୁ କାଫେରେ ଦୁଷ୍କର୍ମ କରିଥିଲା। ଏହାପରେ ସେ ନାବାଳିକାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କ ସାତ ଜଣ ସାଙ୍ଗ ତାଙ୍କ ସହ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।
ନାବାଳିକା ଜଣକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କର ଗାଲ ଓ କପାଳକୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ। ନାବାଳିକା ଜଣକ ଘରକୁ ଆସି ନିଜର ଦୁଃଖ ବର୍ଣ୍ଣନା କରିବା ପରେ ବାପା ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏବେ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ହେଉଛି ନାବାଳିକାଙ୍କର ଇନଷ୍ଟାଗ୍ରାମ ବନ୍ଧୁ। ସେ ତାଙ୍କର ଏକ ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ଏବଂ ଗତ କିଛି ଦିନ ହେବ ତାଙ୍କୁ ବ୍ଲାକମେଲ୍ କରୁଥିଲେ ଏବଂ ଭିଡିଓ ଭାଇରାଲ କରିବାକୁ ଅଭିଯୁକ୍ତ ଧମକ ଦେଉଥିଲା ବୋଲି ପୀଡ଼ିତା କହିଛନ୍ତି।