କୋଟିଆ: ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଥାଉକି, ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ଫେରାଦ ହେବେ ଓଡ଼ିଶା ସରକାର। ଆନ୍ଧ୍ର ସବୁବେଳେ କୋଟିଆକୁ ଅନୁପ୍ରବେଶ ଜାରି ରଖିଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଏବଂ କୋର୍ଟ ଅବମାନନା କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ।
ଏହି ମାମଲାରେ ପୂର୍ବରୁ ରୁଜୁ ହୋଇଥିବା ମାମଲାରେ କୋର୍ଟ ଅବମାନନା ଆବେଦନ କରାଯିବ ନା ନୂଆ ମାମଲା ରୁଜୁ ହେବ, ସେନେଇ ଆଡ୍ଭୋକେଟ ଜେନେରାଲ (ଏଜି) ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ଏପଟେ ଆନ୍ଧ୍ରର ନିର୍ବାଚନକୁ ନେଇ କୋଟିଆରେ କୋରାପୁଟ ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ।ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ଚାଲିଥିବା ବେଳେ ଆଜି ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ୧୬ ଜଣିଆ ଟିମ କୋଟିଆରେ ପହଁଚି ଏହି ନିର୍ବାଚନ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି।