ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ଛତ୍ରପତି ଶମ୍ଭାଜୀ ନଗରଭାବେ ନାମକରଣ କରାଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏଆଇଏମଆଇଏମ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଓ ଔରଙ୍ଗାବାଦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ବିକ୍ଷୋଭକୁ ଏକ ଡ୍ରାମାବାଜି ବୋଲି କହିଛନ୍ତି ଶିବସେନା ବିଧାୟକ ସଂଜୟ ସିରସତ୍ ।
ସେ କହିଛନ୍ତି ଯେ ଶମ୍ଭାଜୀନଗର ବା ଔରଙ୍ଗାବାଦ ସହରରେ ଥିବା ଔରଙ୍ଗଜେବଙ୍କ କବରକୁ ଅନ୍ୟତ୍ର ଉଠାଇନେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବେ ।
ମୋଗଲ ସମ୍ରାଟଙ୍କ ସ୍ମୃତି ପାଇଁ କୌଣସି ଦିନ ପାଳନ କରାଯିବା ଉଚିତ ନୁହେଁ ଏବଂ ତାଙ୍କ କବରକୁ ହଟାଇନିଆଯିବା ଉଚିତ ।
ଔରଙ୍ଗାବାଦ ସହରର ନାମକରଣକୁ ନେଇ ଏହି ସହରର ଲୋକମାନଙ୍କର କୌଣସି ଆପତ୍ତି ନଥିବାବେଳେ ହାଇଦ୍ରାବାଦର ଏକ ଦଳ ଏଆଇଏମଆଇଏମର କଣ ସମସ୍ୟା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ନାମକରଣକୁ ନେଇ ଯେଉଁମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ତାହା ବିକ୍ଷୋଭ ନଥିଲା ବରଂ ଏକ ବିରିୟାନି ପାର୍ଟି ଥିଲା ବୋଲି ସେ କହିଛନ୍ତି । ଯେଉଁମାନେ ଏହି ନାମକରଣକୁ ନେଇ ସହରର ଶାନ୍ତ ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ସେ ପୁଲିସ କମିସନରଙ୍କୁ ଭେଟିବେ ବୋଲି ସଂଜୟ କହିଛନ୍ତି ।