Spread the love

ସମ୍ବଲପୁର :  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶା ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଆରମ୍ଭ ହୋଇଯାଇଛି ରାଜନୀତି ଛକାପଞ୍ଝା। ଗୋଟାଏ ପଟେ ବିଜୁ ଏକ୍ସପ୍ରେସ ୱେ’କୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଆତ୍ମପ୍ରଶଂସା କରି ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି କହିଥିବା ବେଳେ ଅନ୍ୟପଟେ ବିଜେପି ଓ କଂଗ୍ରସ ଏହାକୁ ସମାଲୋଚନା କରିଛନ୍ତି। ବିଜେପି ନେତା ପ୍ରଦୀପ ପୁରୋହିତ ଏହି ରାସ୍ତାରେ କେନ୍ଦ୍ର ସରକାରଙ୍କ ଟଙ୍କା ଲାଗିଥିବା କହିଥିବା ବେଳେ ରାସ୍ତା ଉଦ୍‌ଘାଟନ ପ୍ରକୃତ ବିକାଶ ନୁହେଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।
ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ପଶ୍ଚିମ ଓଡିଶାବାସୀଙ୍କୁ ନିର୍ବାଚନରେ ପ୍ରଭାବିତ କରିବା ପାଇଁ ବିଜେଡିର ଏ ବିଶାଳ ଆୟୋଜନ ହୋଇଛି। କିଛି ବର୍ଷ ପୂର୍ବେ ପଶ୍ଚିମ ଓଡିଶାର ବିକାଶରେ ୩୫ ହଜାର କୋଟି ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୭ ବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ ହୋଇ ପାରିଲା ନାହିଁ। ବିଜୁ ଏକ୍ସପ୍ରେସ ୱେ’ରେ ଯେତେ ବ୍ରିଜ ନିର୍ମାଣ ହୋଇଛି, ସେସବୁ କେନ୍ଦ୍ର ସରକାର କରିଛନ୍ତି। ୨୦୧୬ରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଆଜି ବି ସେୟା କହିଲେ। ଜଳସେଚନ ପ୍ରକଳ୍ପ କିମ୍ବା ଦାଦନ ସମସ୍ୟା ନେଇ ପଦଟିଏ କହିଲେନି।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିକାଶ କଥା ନବୀନ ବାବୁ ନ କହିବା ଭଲ। କେଉଁଠି କିଛି ବିକାଶ ହୋଇନି। ଓଡ଼ିଶାର ଅସଲ ବିକାଶ ଶିକ୍ଷାର ବିକାଶ ହେଲେ ହିଁ ସମ୍ଭବ ହେବ। ମାତ୍ର ସ୍କୁଲରେ ଶିକ୍ଷକ ନାହାନ୍ତି। ରଙ୍ଗ ବୋଳି କିଛି ସ୍କୁଲକୁ ଚକଚକ କରିଦେଲେ। ହେଲେ ବାସ୍ତବ ସ୍ଥିତି ବଦଳିନି। ମେଡିକାଲରେ ଡାକ୍ତର ନାହାନ୍ତି। ହେଲେ ମେଡିକାଲ କଲେଜ ଖୋଲି ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି। ଚାଷୀଙ୍କ ଦୁଃଖ ନ କହିବା ଭଲ। ନୀତି ଆୟୋଗ ଅନୁସାରେ ଓଡ଼ିଶା ଚାଷୀଙ୍କ ଆୟ ମାସିକ ଆୟ ମାତ୍ର ୫, ୧୧୨ ଟଙ୍କା। ଅର୍ଥାତ୍ ଚାଷୀର ଦୈନିକ ଆୟ ମାତ୍ର ୧୭୪ ଟଙ୍କା। ମାତ୍ର ସରକାର କୃଷି ଓ କୃଷକଙ୍କ ବିକାଶ କରୁଥିବା ଲୋକ ଦେଖାଣିଆ ପ୍ରଚାର କରୁଛନ୍ତି। କେବିକେରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଘୋଷଣା କୁଆଡ଼େ ଗଲା? କଟକ, ପୁରୀ, ସୁବର୍ଣ୍ଣପୁରରେ ଯେତିକି ଜମି ନାହିଁ ତାହାଠାରୁ ଅଧିକ ଜମି ଜଳସେଚିତ ବୋଲି ସରକାର ବିଧାନସଭାରେ କହୁଛନ୍ତି। ବଲାଙ୍ଗୀରରେ ମହାରାଣୀ ସାଗରର ବିକାଶ ନିମନ୍ତେ ୨୨ କୋଟି ଟଙ୍କା ମଂଜୁରୀକୁ ବିଜେଡି ଦଳର କିଛି ନେତା ଓ କର୍ମୀ ବିରୋଧ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପକୁ ଶୁଭ ଦେଉଛନ୍ତି ତାହା ପରବର୍ତ୍ତି ସମୟରେ ଠିକ୍ ଭାବେ କାମ କରୁନି। ବଲାଙ୍ଗୀରରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। କେବଳ ବିରାଟ ବଜେଟ ବ୍ୟୟବରାଦ କରାଯାଉଥିବା ପ୍ରଚାର ହେଉଛି। ୨୦୦୬ ମସିହାରେ ନବୀନ ବାବୁ ସବୁ ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ହେବ ବୋଲି କହିଥିଲେ। ହେଲେ କାହିଁ କେଉଁଠି ହୋଇଛି ? ୨୦୦୯ ମସିହାରେ କହିଥିଲେ ସମସ୍ତ ଚାଷୀଙ୍କୁ ମାଗଣା ବିଜୁଳି ଦିଆଯିବ, କାହିଁ କେଉଁଠି ଦେଲେଣି? ଓଲଟା ବିଜୁଳି ଦର ବଢ଼ାଇ ଦେଇଛନ୍ତି। ତେଣୁ ନବୀନ ଯାହା କୁହନ୍ତି, ତାହା କରନ୍ତି ବୋଲି କିପରି କହିପାରୁଛନ୍ତି?
ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମଧ୍ୟ ବିଭ୍ରାନ୍ତିକରଣ କଥା କହୁଛନ୍ତି। ଲୋକଙ୍କୁ ଭୁଲ ତଥ୍ୟ ଦେଇ ନିର୍ବାଚନ ବୈତରଣୀ କିପରି ପାର ହେବାକୁ ହୁଏ ସେ ବାବଦରେ ନବୀନ ବାବୁ ଡକ୍ଟରେଟ କରିଛନ୍ତି। ତାଙ୍କୁ ଏହି ପ୍ରତିଯୋଗିତାରେ କେହି ହରାଇପାରୁନାହାନ୍ତି। ସଞ୍ଜିବ ହୋତା କମିଶନ ସମସ୍ତ ଖଣିକୁ ସରକାରଙ୍କୁ ହାତକୁ ନେବାକୁ କହିଥିଲେ ହେଁ, ଏହା ହେଲାନି। ବିଜୁ ବାବୁଙ୍କ କହିବା ମୁତାବକ ଖଣିଜ ଉତ୍ପାଦନ ଉପରେ ଟିକସ ବସିଥିଲେ ୫୦ ହଜାର କୋଟି ଟଙ୍କା ଟିକସ ସରକାରଙ୍କୁ ମିଳିଥାନ୍ତା। ହେଲେ ଏହାକୁ ବିଜେଡି ଦଳ କରାଇ ଦେଲେନି। ଖଣି ମାଲିକମାନେ ଓଡ଼ିଶାର ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଏ ସବୁ ପ୍ରଚାର ଓ ରୋଡ଼ ସୋ କରୁଛନ୍ତି। ଖଣି ମାଲିକଙ୍କ ସହ ମଧୁଚନ୍ଦ୍ରିକା ଏହାର କାରଣ ହୋଇଛି ବୋଲି ନିରସିଂହ କହିଛନ୍ତି।

ତେବେ ବିରୋଧୀଙ୍କ ଆକ୍ଷେପ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *