Spread the love

ଭୁବନେଶ୍ୱର : ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ମାଓବାଦୀ ନେତା ଆଜାଦ ନିର୍ଦ୍ଦୋଷରେ ଖଲାସ । ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ଚାରି ସହଯୋଗୀଙ୍କ ହତ୍ୟା ମାମଲାରେ ମାଓବାଦୀ ନେତା ଡି. କେଶବ ରାଓ ଓରଫ ଆଜାଦ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତାଙ୍କ ବିରୋଧରେ ହତ୍ୟା ଓ ଷଡ଼ଯନ୍ତ୍ରର ଅଭିଯୋଗକୁ ସନ୍ଦେହାତୀତ ଭାବେ ପ୍ରମାଣ କରିବାରେ prosecution ବିଫଳ ହୋଇଥିବାରୁ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଖଲାସ କରିଛନ୍ତି । ରାୟ ପରେ କାଲି ସନ୍ଧ୍ୟାରେ ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ମୁକୁଳିଛନ୍ତି ୫୨ ବର୍ଷୀୟ ଆଜାଦ । ୨୩ ଅଗଷ୍ଟ ୨୦୦୮ ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ପ୍ରାୟ ୨୦ରୁ ୨୫ ଜଣ ମୁଖାପିନ୍ଧା ବ୍ୟକ୍ତି ପଶି ଗୁଳିମାଡ଼ କରିଥିଲେ । ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିଲା । ମାତା ଭକ୍ତିମୟୀ, କିଶୋର ବାବା ଓ ଅମୃତାନନ୍ଦଙ୍କ ସମେତ ଅନ୍ୟମାନେ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହି ହତ୍ୟାକାଣ୍ଡ ପରେ କନ୍ଧମାଳରେ ଭୟଙ୍କର ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା। ୩୮ ଜଣଙ୍କ ଜୀବନ ଯାଇଥିବାବେଳେ ୨୫ ହଜାରରୁ ଅଧିକ ଲୋକ ବାସହରା ହୋଇଥିଲେ । ଫଳରେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା କେବଳ ଏକ ଅପରାଧିକ ମାମଲା ନୁହେଁ, ଓଡ଼ିଶାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଭାବେ ପରିଗଣିତ ହୋଇଆସିଛି । ପୋଲିସ ତଦନ୍ତ ଅନୁସାରେ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଏକ ଚିଠି ଛାଡ଼ି ଯାଇଥିଲା । ସେଥିରେ ମାଓବାଦୀଙ୍କ ବଂଶଧାରା ଡିଭିଜନ୍ ଏହି ହତ୍ୟାକାଣ୍ଡ ଘଟାଇଥିବା ଉଲ୍ଲେଖ ଥିଲା ଏବଂ ଚିଠିରେ ‘ଆଜାଦ’ ନାମରେ ସ୍ୱାକ୍ଷର ଥିବା ପୋଲିସ ଦାବି କରିଥିଲା । ଏହାସହ ଘଟଣା ପରେ ଆଜାଦ ଏକ ବୈଠକ ଡାକିଥିଲେ ଏବଂ ଅନ୍ୟମାନଙ୍କ ସହ ମିଶି ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିଥିବା କଥା ସେଠାରେ କହିଥିଲେ ବୋଲି ମଧ୍ୟ ପୋଲିସର ଅଭିଯୋଗ ଥିଲା । ଏହି ଆଧାରରେ ତାଙ୍କୁ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ରଖାଯାଇଥିଲା । କିନ୍ତୁ ଦୀର୍ଘ ବିଚାର ପ୍ରକ୍ରିୟା ପରେ prosecutionର ଦାବି ଅଦାଲତରେ ସନ୍ଦେହାତୀତ ଭାବେ ପ୍ରମାଣିତ ହୋଇପାରିନାହିଁ ।

କୋର୍ଟ କହିଛନ୍ତି, ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିବା ନିର୍ବିବାଦ। କିନ୍ତୁ ଏହି ଅଭିଯୁକ୍ତ ହତ୍ୟା କରିଥିଲେ, ଏଥିରେ ଭାଗ ନେଇଥିଲେ କିମ୍ବା ଅପରାଧିକ ଦାୟିତ୍ୱ ବହନ କରୁଥିଲେ କି—ତାହାକୁ ନିର୍ଭରଯୋଗ୍ୟ ପ୍ରମାଣରେ ସାବ୍ୟସ୍ତ କରିବା ଆବଶ୍ୟକ। ଅଦାଲତଙ୍କ ମତରେ, କୌଣସି ଗୁରୁତର ଅପରାଧରେ ଜଣେ ବ୍ୟକ୍ତି ସମ୍ଭାବ୍ୟ ଅଂଶଗ୍ରହଣକାରୀ ବୋଲି ମନେହେବା ମାତ୍ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଅଭିଯୁକ୍ତଙ୍କ ପରିଚୟ ଓ ଅପରାଧରେ ତାଙ୍କ ସମ୍ପୃକ୍ତିକୁ ନିର୍ଭରଯୋଗ୍ୟ ପ୍ରମାଣ ଦ୍ୱାରା ସ୍ଥାପନ କରିବାକୁ ପଡ଼ିବ। ଆଜାଦଙ୍କଠାରୁ ଏହି ହତ୍ୟାକାଣ୍ଡ ସହ ଜଡ଼ିତ କୌଣସି ଅସ୍ତ୍ର ଜବତ ହୋଇଥିବା ପ୍ରମାଣ ନଥିଲା । ତାଙ୍କ ସହ କୌଣସି ଅସ୍ତ୍ରକୁ ଯୋଡ଼ୁଥିବା ବାଲିଷ୍ଟିକ ଏଭିଡେନ୍ସ ନଥିଲା କିମ୍ବା ତାଙ୍କୁ ଘଟଣାସ୍ଥଳ ସହ ଯୋଡ଼ୁଥିବା କୌଣସି ଫରେନସିକ ପ୍ରମାଣ ମଧ୍ୟ ପ୍ରମାଣିତ ହୋଇପାରିନଥିବା କୋର୍ଟ କହିଛନ୍ତି । ମାମଲାରେ ୨୨ ଜଣ ସାକ୍ଷୀଙ୍କୁ ପରୀକ୍ଷା କରାଯାଇଥିଲା । ତେବେ ମାତ୍ର ଜଣେ ପ୍ରତ୍ୟକ୍ଷଦର୍ଶୀ ଥିଲେ । କୌଣସି ସ୍ୱାଧୀନ ପ୍ରତ୍ୟକ୍ଷଦର୍ଶୀ ଆଜାଦଙ୍କୁ ଘଟଣାସ୍ଥଳରେ ଚିହ୍ନଟ କରିନଥିଲେ। ଏହାସହ ହତ୍ୟାକାଣ୍ଡ ସହ ତାଙ୍କୁ ଯୋଡ଼ୁଥିବା ଗ୍ରହଣଯୋଗ୍ୟ ସ୍ୱୀକାରୋକ୍ତି କିମ୍ବା ତାଙ୍କ ତଥ୍ୟ ଆଧାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଜବତ ମଧ୍ୟ ସ୍ଥାପିତ ହୋଇନଥିଲା । ଫଳରେ ଡି. କେଶବ ରାଓ ପାଞ୍ଚ ଜଣଙ୍କ ମଧ୍ୟରୁ କାହାରି ହତ୍ୟାରେ ସାମିଲ ଥିଲେ ବୋଲି prosecution ସନ୍ଦେହାତୀତ ଭାବେ ପ୍ରମାଣ କରିପାରିନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସନ୍ଦେହ ଯେତେ ଦୃଢ଼ ହେଲେ ମଧ୍ୟ ତାହା ପ୍ରମାଣର ସ୍ଥାନ ନେଇପାରିବ ନାହିଁ ।” ଅପରାଧ ଯେତେ ଜଘନ୍ୟ ହେଲେ ମଧ୍ୟ କେବଳ ସନ୍ଦେହକୁ ପ୍ରମାଣରେ ପରିଣତ କରି ଜଣେ ଅଭିଯୁକ୍ତଙ୍କୁ ଦୋଷୀ କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । ହତ୍ୟା ଷଡ଼ଯନ୍ତ୍ର ସହ ଆଜାଦଙ୍କୁ ଯୋଡ଼ିବା ପାଇଁ ମଧ୍ୟ ନିର୍ଭରଯୋଗ୍ୟ ପ୍ରମାଣ ନଥିବା କୋର୍ଟ ଦର୍ଶାଇଛନ୍ତି ।

ଏହାସହ ବେଆଇନ ସମାବେଶ, ଗୃହ ଅନୁପ୍ରବେଶ, ଚୋରି ଏବଂ Arms Act ଅଧୀନରେ ଥିବା ଅଭିଯୋଗଗୁଡ଼ିକ ମଧ୍ୟ ପ୍ରମାଣିତ ହୋଇପାରିନାହିଁ । ଆଜାଦ ୨୦୧୧ ମେ’ରେ ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ । ସେବେଠାରୁ ପ୍ରାୟ ୧୫ ବର୍ଷ ଧରି ଭୁବନେଶ୍ୱରର ଝାରପଡ଼ା ଜେଲ୍ ରେ ରହିଥିଲେ । ତାଙ୍କ ବିରୋଧରେ ଓଡ଼ିଶାରେ ଦୀର୍ଘଦିନ ଧରି ଅନେକ ମାମଲା ବିଚାରାଧୀନ ଥିଲା । ଏଗୁଡ଼ିକର ଶୀଘ୍ର ଫଇସଲା ପାଇଁ ରାଜ୍ୟ ସରକାର ଗତବର୍ଷ ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଅଦାଲତ ଗଠନ କରିଥିଲେ । ତାଙ୍କ ବିରୋଧରେ ବିଚାରାଧୀନ ଥିବା ୪୯ଟି ମାମଲାରେ ସେ ଖଲାସ ହୋଇଛନ୍ତି । ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଥିଲା ତାଙ୍କ ବିରୋଧରେ ଶେଷ ବିଚାରାଧୀନ ମାମଲା । ସେହି ଶେଷ ମାମଲାରେ ମଧ୍ୟ ଖଲାସ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଝାରପଡ଼ା ଜେଲ୍ ରୁ ବାହାରିଛନ୍ତି ଆଜାଦ । ୨୦୦୮ର କନ୍ଧମାଳ ହତ୍ୟାକାଣ୍ଡର ଦୀର୍ଘ ୧୮ ବର୍ଷ ପରେ ଏବଂ ନିଜେ ପ୍ରାୟ ୧୫ ବର୍ଷ ଜେଲ୍ ରେ ରହିବା ପରେ ଏହି ରାୟ ଆସିଛି ।

Leave a Reply

Your email address will not be published. Required fields are marked *