Spread the love

ବରଗଡ଼ : ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବାଜିଲା ଡିଜେ। ନାଚିଲେ ଶୋକ ସନ୍ତପ୍ତ ପରିବାର, ବନ୍ଧୁବାନ୍ଧବ ଓ ଗାଁ ଲୋକ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ନାଚିନାଚି ମସଗୁଲ ହେଲେ। ଆଗେ ଆଗେ ଡିଜେ ପଛେପଛେ ନାଚିନାଚି ଏହି ପରିଜନମାନେ ଶବ ସଂସ୍କାର କରିବାକୁ ଶ୍ମଶାନକୁ ନେଇ ଯାଇଥିଲେ। ଆଜି ବରଗଡ଼ ଜିଲ୍ଲା କଳଙ୍ଗାପାଲି ଗାଁରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ।
କୌଣସି ବ୍ୟକ୍ତିଙ୍କ ମୃତ୍ୟୁପରେ ସାଧାରଣତଃ ଶୋକାକୁଳ ପରିବେଶ ସୃଷ୍ଟି ହେଉଥିବା ବେଳେ ବରଗଡ଼ ଜିଲ୍ଲା କଳଙ୍ଗାପାଲି ଗାଁରେ ଦେଖିବାକୁ ମିଳିଛି ଏହି ଭିନ୍ନ ଦୃଶ୍ୟ। ୧୦୫ ବର୍ଷ ବୟସ୍କ କୁଶ ମେହେରଙ୍କ ଆଜି ପରଲୋକ ପରେ ପରିବାର ଲୋକେ ତାଙ୍କୁ ଶୋଭାଯାତ୍ରାରେ ଶ୍ମଶାନକୁ ନେଇଥିଲେ। ଡିଜେ ବଜାଇ ନାଚି ଗାଇ ଶେଷ ସଂସ୍କାରରେ ସାମିଲ ହୋଇଥିଲେ ସଂପର୍କୀୟ, ପଡ଼ୋଶୀ ଓ ବନ୍ଧୁବାନ୍ଧବ।
କୁଶ ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଦୀପ ଦେଇ ପ୍ରଥମେ ଶ୍ରଦ୍ଧାଞ୍ଜଳି ଜଣାଥିଲେ। ପରେ କୋକେଇକୁ ସାଜସଜା କରାଯାଇଥିଲା। କୋକେଇରେ ମୃତଦେହ ରଖିବା ପରେ ସମସ୍ତ ପରିଜନ ନାଚିନାଚି ଶ୍ମଶାନ ପର୍ଯ୍ୟନ୍ତ ବିଦାୟ ଦେଇଥିଲେ।
ମୃତକଙ୍କ ନାତି ଦେବାର୍ଚ୍ଚନ ମେହେର କହିଛନ୍ତି, ଅଜା ଖାଇପିଇ ଶୋଇଥିଲେ। ହଠାତ୍ ତାଙ୍କ ମୃତ୍ୟୁ ହୋଇଥିଲେ। ଏହି ସୁଖଦ ମୃତ୍ୟୁ ନିମନ୍ତେ ସମସ୍ତେ ଖୁସୀରେ ଏଭଳି ବିଦାୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *