ରେଢ଼ାଖୋଲ: ରକ୍ତଭଣ୍ଡାର ବନ୍ଦ ଯୋଗୁଁ ଅକାଳରେ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ରେଢ଼ାଖୋଲ ରକ୍ତଭଣ୍ଡାର ବନ୍ଦ ଥିବାରୁ ଏହି ଅଘଟଣ ଘଟିଛି। ମୃତକ ହେଲେ, ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତ ରେଙ୍ଗାଲି ଗ୍ରାମର ଦିବ୍ୟାଙ୍ଗ ମନୋଜ କୁମାର ସାହୁ(୪୫)। ଆବଶ୍ୟକ ସମୟରେ ରକ୍ତ ନ ପାଇ ୧୫ଦିନ ଧରି ମୃତ୍ୟୁ ସହ ସଂଘର୍ଷ ପରେ ଶେଷରେ ସେ ଆଖିବୁଜିଛନ୍ତି।
ମନୋଜ ଗତ ୪ ବର୍ଷ ହେଲା କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ପ୍ରତି ମାସ ୩ ୟୁନିଟ୍ ରକ୍ତର ଆବଶ୍ୟକତା ପଡ଼ୁଥିଲା। ତେଣୁ, ୧୫ ଦିନ ପୂର୍ବରୁ ସେ ଓ ତାଙ୍କ ପରିବାର ରକ୍ତଦାତା ଯୋଗାଡ଼ କରୁଥିଲେ। ଅନେକ ସମୟରେ ୩ଜଣ ରକ୍ତଦାତା ନ ମିଳିଲେ, ମାତ୍ର ଗୋଟିଏ ୟୁନିଟ୍ ରକ୍ତ ନେଇ ମନୋଜଙ୍କୁ ମୃତ୍ୟୁ ସହ ଲଢ଼ିବାକୁ ପଡ଼ୁଥିଲା। ଏପଟେ ରେଢ଼ାଖୋଲ ଡାକ୍ତରଖାନାର ରକ୍ତଭଣ୍ଡାରଟି ଗତ ୪ମାସ ହେଲା ବନ୍ଦ ପଡ଼ିଛି। ତେଣୁ, ରକ୍ତ ଅଭାବରୁ ମନୋଜଙ୍କ ଭଳି ଶତାଧିକ କିଡ୍ନୀ, ସିକିଲ୍ସେଲ୍, ଆସନ୍ନପ୍ରସବା ଓ ଦୁର୍ଘଟଣାଗ୍ରସ୍ତ ରୋଗୀ ରକ୍ତ ପାଇଁ ବୁର୍ଲା କିମ୍ବା ସମ୍ବଲପୁର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ପ୍ରଶାସନିକ ଅବହେଳା ଓ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ରୂପ ଅନେକ ଗରିବ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଲାଣି।
ମନୋଜଙ୍କ ସ୍ବଳ୍ପ ରୋଜଗାରରେ ଅସୁସ୍ଥ ବୃଦ୍ଧା ମା’, ସ୍ତ୍ରୀ, ଦୁଇ ଝିଅ ଓ ସାନ ପୁଅ ଚଳୁଥିଲେ। ଏକ ଛୋଟ ସାଇକଲ ମରାମତି ଦୋକାନରୁ ମନୋଜ କେଉଁ ଦିନ ୨୦ରୁ ୩୦ଟଙ୍କା ତ କେଉଁ ଦିନ ଆଦୌ ରୋଜଗାର କରିପାରୁନଥିଲେ। ସରକାରୀ ଆବାସ ଓ ରେସନ ଚାଉଳରେ ତାଙ୍କ ପରିବାରର ଚୁଲି ଜଳୁଥିଲା। ଔଷଧ ଖର୍ଚ୍ଚ, ଚିକିତ୍ସା ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ମନୋଜଙ୍କ ପାଇଁ କଷ୍ଟକର ଥିଲା। ବିଭିନ୍ନ ଗଣମାଧ୍ୟମରେ ମନୋଜଙ୍କ ସଂଘର୍ଷ କାହାଣୀ ପ୍ରକାଶ ପାଇବା ପରେ ରେଢ଼ାଖୋଲ ଉପ-ଜିଲାପାଳ ରଶ୍ମିରଞ୍ଜନ ମହାନ୍ତ ତାଙ୍କୁ ଡାକି ରେଡ୍କ୍ରସ୍ ପକ୍ଷରୁ ସହାୟତା ଏବଂ ଝିଅର ଯୁକ୍ତ ଦୁଇ ପାଠପଢ଼ା ଦାୟିତ୍ୱ ପ୍ରଶାସନ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମନୋଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାରଲୋକେ ଅର୍ଥାଭାବରୁ ଅନ୍ୟ ସ୍ଥାନକୁ ନେଇ ନ ପାରି ଘରକୁ ନେଇ ଆସିଥିଲେ। ନିଜ ଘରେ ହିଁ ମନୋଜ ମୃତ୍ୟୁ ମୁଖରେ ପଡ଼ିଥିଲେ।
ମନୋଜଙ୍କ ଅନ୍ତେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ତାଙ୍କ ସ୍ତ୍ରୀ ଓ ତିନି ନିରୀହ ସନ୍ତାନଙ୍କ ଆଖିରୁ ଲୁହ ଶୁଖୁନାହିଁ। ଉପ-ଜିଲାପାଳ ଶ୍ରୀ ମହାନ୍ତ ଶୋକ ପ୍ରକାଶ କରିବା ସହ ଜାତୀୟ ପରିବାର ଲାଭ ଯୋଜନା (ଏନ୍ଏଫ୍ବିଏସ୍) ମାଧ୍ୟମରେ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅସହାୟ ପରିବାରର ତିନି ନିରୀହ ପିଲାଙ୍କ ଶିକ୍ଷା ଓ ପ୍ରତିପୋଷଣ ପାଇଁ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ଓ ସମାଜସେବୀ ସଂଗଠନ ଆଗେଇ ଆସିବାକୁ ନିବେଦନ କରାଯାଇଛି। ଏଥିସହ ଦଳଗତ ନିର୍ବିଶେଷରେ ସ୍ଥାନୀୟ ଜନପ୍ରତିନିଧି, ତହସିଲ, ଉପଖଣ୍ଡ ଓ ଜିଲା ପ୍ରଶାସନ ତୁରନ୍ତ ବନ୍ଦ ପଡ଼ିଥିବା ରେଢ଼ାଖୋଲ ରକ୍ତଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।