Spread the love

ନୂଆଦିଲ୍ଲୀ : ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିନେତା ଶିଜାନ ଖାନଙ୍କୁ ଆଜି ଜାମିନ ମିଳିଛି। ଅଭିନେତ୍ରୀଙ୍କ ପରିବାର ଲୋକେ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ୍ ଖାନ୍‌ଙ୍କୁ ଏହି ଘଟଣା ପାଇଁ ଦାୟୀ କରିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ତୁନିଶାଙ୍କୁ ଶିଜାନ ହଇରାଣ କରୁଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା।
ଆଜି ମହାରାଷ୍ଟ୍ରରର ପାଲଘରରେ ଥିବା ଗୋଟିଏ କୋର୍ଟ ଶିଜାନଙ୍କୁ ୧ ଲକ୍ଷ ଟଙ୍କାର ବେଲବଣ୍ଡ ବଳରେ ଜାମିନ ଦେଇଛନ୍ତି। ଜାମିନ ଦେବା ବେଳେ କୋର୍ଟ ଶିଜାନଙ୍କୁ ତାଙ୍କ ପାସପୋର୍ଟ ପୁଲିସ ନିକଟରେ ଦାଖଲ କରିବାକୁ କହିଛନ୍ତି। ଏଥିସହ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି।
ଶିଜାନଙ୍କ ଓକିଲ ଶରଦ ରାୟ କହିଛନ୍ତି, ଆବେଦନକାରୀ ବିଭିନ୍ନ ଗ୍ରାଉଣ୍ଡରେ ଜାମିନ ପାଇଁ ଆବେଦନ କରିଥିଲେ। ଘଟଣାର ଚାର୍ଜଶିଟ ଦାଖଲ କରାଯାଇଥିବା ବେଳେ ତଦନ୍ତ ଶେଷ ହୋଇଛି। ଏଥିସହ ଘଟଣା ପାଇଁ ଆଇପିସିର ୩୦୬ରେ ମଧ୍ୟ ଦଣ୍ଡବିଧାନ କରାଯାଇପାରିବ ନାହିଁ। ଏହି ସବୁ ତଥ୍ୟ ପରେ ଶିଜାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି।
ତୁନିଶା ଡିସେମ୍ବର ୨୪ରେ ଆତ୍ମହତ୍ୟା କରିଥିବା ବେଳେ ଏହାର ଦିନକ ପରେ ପୁଲିସ୍‌ ଶିଜାନଙ୍କୁ ଗିରଫ କରିଥିଲା। ତାଙ୍କୁ କିଛି ଦିନ ରିମାଣ୍ଡରେ ଆଣି ପୁଲିସ୍‌ ଜେରା କରିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ସେବେଠାରୁ ସେ ଜେଲରେ ଥିବା ବେଳେ ଆଜି ଜାମିନ ପାଇଛନ୍ତି। ଫେବୃଆରୀ ୧୬ରେ ପୁଲିସ୍‌ ଘଟଣାର ତଦନ୍ତ କରି ୫୦୦ ପୃଷ୍ଠାର ଚାର୍ଜଶିଟ ମଧ୍ୟ ଦାଖଲ କରିଥିଲା।
୨୧ ବର୍ଷୀୟ ତୁନିଶା ଓ ଶିଜାନ ପରସ୍ପରକୁ ଭଲ ପାଉଥିଲେ। ହେଲେ କୌଣସି କାରଣ ପାଇଁ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହି ଘଟଣା ପରେ ତୁନିଶା ଆତ୍ମହତ୍ୟା କରିଥିଲେ। ଶୁଟିଂ ସେଟରେ ତୁନିଶା ଆତ୍ମହତ୍ୟା କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣା ପରେ ତାଙ୍କ ମା’ ପ୍ରଥମେ ଶିଜାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ ହିଁ ତୁନିଶାଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିବା ସେ କହିଥିଲେ।

Leave a Reply

Your email address will not be published. Required fields are marked *