Spread the love

ନୂଆଦିଲ୍ଲୀ : ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ଲୋକମାନେ ଜ୍ୱର, କାଶ ଓ ଥଣ୍ଡା ଭଳି ଲକ୍ଷଣ ଥିବା ରୋଗରେ ପଡ଼ିବାରେ ଲାଗିଛନ୍ତି। ବିଗତ ଦୁଇ ମାସ ହେଲାଣି ସମସ୍ତଙ୍କୁ ଏହି ଲକ୍ଷଣ ସବୁ ଦେଖା ଯାଉଛି। ଦୀର୍ଘଦିନ ଧରି ଜ୍ୱର ଓ କାଶ ଲାଗି ରହୁଛି। ମହାମାରୀ କରୋନା ସହ ୨ ବର୍ଷ ଲଢ଼ିଥିବା ଲୋକମାନେ ଏବେ ପୁଣି ଥଣ୍ଡା, କାଶ ଓ ଜ୍ୱରକୁ ଦେଖି ଆତଙ୍କିତ ହେବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ସତର୍କ ସୂଚନା ବା ଆଡଭାଇଜରୀ ଜାରି କରିଛନ୍ତି। ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି।
ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।
ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ସେମାନଙ୍କ ଶରୀରରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହୁଛି। ଏହି ରୋଗର ଲକ୍ଷଣ ହେଲା, କାଶ, ଥଣ୍ଡା ଓ ଜ୍ୱର। କିଛି ଲୋକ ମଧ୍ୟ ଏଥିଯୋଗୁ ଅନ୍ୟ ରୋଗରେ ପଡ଼ୁଛନ୍ତି। ସିଦ୍ଧ ହସ୍ପିଟାଲର ଡାକ୍ତର ଅନୁରାମ ମେହରୋତ୍ରା କହିଛନ୍ତି, “ସଂକ୍ରମଣ ସମସ୍ୟା ଦୂର ହେବାକୁ କିଛି ସମୟ ଲାଗିଥାଏ। ଲକ୍ଷଣ ଅଧିକ ଶକ୍ତିଶାଳୀ ରହୁଛି। ଲକ୍ଷଣ ଲୋକଙ୍କ ଶରୀରରେ ଦୀର୍ଘ ସମୟ ଧରି ରହିବ। ଏପରି କି ସୁସ୍ଥ ହେବା ପରେ ମଧ୍ୟ ଲକ୍ଷଣ କିଛି ଦିନ ପାଇଁ ଯିବନାହିଁ।”
କ୍ଲିନିକାଲ ଟ୍ରାଏଲ ସ୍ପେଶାଲିଷ୍ଟ ଡାକ୍ତର ଅନୀତା ରମେଶ କହିଛନ୍ତି, ଇନଫ୍ଲୁଏଞ୍ଜାର ନୂଆ ଷ୍ଟ୍ରେନ ଆଦୌ ଘାତକ ନୁହେଁ। ଏହା ଜୀବନ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ। କିନ୍ତୁ କିଛି ରୋଗୀଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ହସ୍ପିଟାଲରେ ଆଡମିଟ ହେବାକୁ ପଡ଼ିବ। କିଛି ଲକ୍ଷ କରୋନା ଭଳି ସମାନ। କିନ୍ତୁ ଏଯାଏ ଟେଷ୍ଟ କରିଥିବା ଲୋକମାନେ କରୋନା ନେଗେଟିଭ ରହିଛନ୍ତି। ତେଣୁ ବ୍ୟସ୍ତ ହେବାର କାରଣ ନାହିଁ ବୋଲି ସେ ଆଶ୍ୱସନା ଦେଇଛନ୍ତି।
ସଂକ୍ରମର ବଢ଼ୁଥିବାରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆଇସିଏମଆର ଭାଇରସରୁ ନିଜରୁ ସୁରକ୍ଷା ପାଇଁ କ’ଣ କରିବା ଦରକାର ଓ କ’ଣ ନୁହେଁ, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛି।
୧-ଲକ୍ଷଣ ଥିଲେ ହାତକୁ ଭଲ ଭାବେ ସାବୁନ ଓ ପାଣି ଦ୍ୱାରା ଭଲ ଭାବେ ଧୁଅନ୍ତ।
୨-ମାସ୍କ ପିନ୍ଧନ୍ତୁ ଓ ଗହଳୀ ସ୍ଥାନକୁ ଯାଆନ୍ତୁ ନାହିଁ।
୩-କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ।
୪-ପ୍ରଚୁର ପରିମାଣ ପାଣି ଓ ଜୁସ ପିଅନ୍ତୁ। ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ।
୫-ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ।
୬-ସର୍ବସାଧାରଣରେ ଛେପ ପକାନ୍ତୁ ନାହିଁ କିମ୍ବା କାହା ସହ ହାତ ମିଳାନ୍ତୁ ନାହିଁ।
ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ବାରଣ କରିଛି। ଏଥିସହ ଡାକ୍ତରମାନଙ୍କୁ କେବଳ ଲକ୍ଷଣ ଥିବା ଲୋକଙ୍କୁ ମେଡିସିନ ଖାଇବାକୁ ପରାମର୍ଶ ଦିଅନ୍ତୁ। ସେମାନଙ୍କୁ ମଧ୍ୟ ଆଣ୍ଟିବାୟୋଟିକ ଦିଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *