ଭୁବନେଶ୍ୱର: ରକ୍ତଦାନ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରନ୍ତି। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତର ବିକଳ୍ପ ନାହିଁ। ଏହା କୌଣସି କାରଖାନାରେ ତିଆରି ମଧ୍ୟ ହୋଇପାରେ ନାହିଁ। ଏଭଳି ବାର୍ତ୍ତା ଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ଏହା ପୂର୍ବରୁ ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀ ଏକ ଅଶୋକ ଗଛର ଚାରା ରୋପଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡ଼ି ନପଡ଼େ, ସେଥିପାଇଁ ସରକାର ସଂକଳ୍ପବଦ୍ଧ। ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ବୋଲି ସେ କହିଛନ୍ତି।
ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ବଜେଟ୍ରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ ସହ ‘ଅଟଳ ରକ୍ତଦାନ ଅଭିଯାନ’ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଅଧୀନରେ ନୂଆ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ସହ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋଦୀଙ୍କ ଦୀର୍ଘ ଜନସେବା ଓ ଶାସନର ଅଭିଜ୍ଞତା ଦେଶର ବିକାଶରେ ପ୍ରଭାବ ପକାଇଛି। ତାଙ୍କ କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକମାସିଆ ‘ସେବା ସଂକଳ୍ପ ଅଭିଯାନ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ମାନବସେବା ଓ ତ୍ୟାଗର ଏକ ଜନଆନ୍ଦୋଳନ ବୋଲି ସେ କହିଛନ୍ତି।
ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢ଼ି ସମାଜସେବା ଓ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରକ୍ତଦାନ ଜଣେ ବ୍ୟକ୍ତିର ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ସେବା ଓ ସମର୍ପଣର ଭାବନା ରହିବା ଆବଶ୍ୟକ। ଆଜିର ମେଗା ରକ୍ତଦାନ ଶିବିର ରାଜ୍ୟରେ ରକ୍ତ ସଂଗ୍ରହ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ଧରି ଜନପ୍ରତିନିଧି ଭାବେ ମୋଦୀଙ୍କ ସେବାକୁ ସ୍ମରଣ କରିବା ଏହି ଅବସରର ଉଦ୍ଦେଶ୍ୟ। କୋଭିଡ୍-୧୯ ପରେ ରକ୍ତଭଣ୍ଡାରଗୁଡ଼ିକରେ ଦେଖାଦେଇଥିବା ରକ୍ତ ଅଭାବ ପୂରଣରେ ଏଭଳି ବୃହତ୍ ରକ୍ତଦାନ ଶିବିର ସହାୟକ ହେବ ବୋଲି ସେ କହିଛନ୍ତି।