Spread the love

ନୂଆଦିଲ୍ଲୀ: କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଇଂଲଣ୍ଡ୍‌ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍‌ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍‌ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି ଦିଆଯାଇଥିବା ବେଳେ ଅଯତ୍ନ ବର୍ଦ୍ଧିତ କେଶ ମଧ୍ୟ ଛୋଟ କରି କାଟିଦିଆଯାଇଛି। ଏହାଛଡ଼ା, ଧଳା ‘ଟି-ସାର୍ଟ’ ପରିବର୍ତ୍ତେ ସେ ସୁନ୍ଦର ମାନୁଥିବା ସୁଟ୍‌ ମଧ୍ୟ ପିନ୍ଧିଛନ୍ତି। କେତେକ କଂଗ୍ରେସ ନେତା ସାମାଜିକ ଗଣମାଧ୍ୟମରେ ରାହୁଲ୍‌ଙ୍କ ଏଭଳି ନୂଆ ରୂପର ଫଟୋ ସେୟାର୍‌ କରିଛନ୍ତି।
୫ ମାସର ‘ଭାରତ ଯୋଡ଼ୋ ଯାତ୍ରା’ କାଳରେ ରାହୁଲ୍‌ ଗାନ୍ଧୀ ସଦାସର୍ବଦା ଧଳା ‘ଟି-ସାର୍ଟ’ ପିନ୍ଧୁଥିଲେ। ଏହି ଯାତ୍ରା ସମୟରେ ଦାଢ଼ି ନ କାଟିବାକୁ ନିଷ୍ପତ୍ତି ନେଇଥିବାରୁ ତାହା ଖୁବ୍‌ ବଢ଼ିଯାଇଥିଲା।
ଗୋଟିଏ ସପ୍ତାହ ପାଇଁ ଇଂଲଣ୍ଡ୍‌ ଗସ୍ତରେ ଥିବା ରାହୁଲ୍‌ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ‘ଲର୍ଣ୍ଣିଙ୍ଗ୍‌ ଟୁ ଲିସ୍‌ନିଙ୍ଗ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ୍‌ ସେଞ୍ଚୁରି’ ବିଷୟରେ ବକ୍ତୃତା ପ୍ରଦାନ କରିବେ। ଏହା ହେଉଛି କେବଳ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ବକ୍ତୃତା। ଏଥିରେ ସେ ‘ଭାରତ ଯୋଡ଼ୋ ଯାତ୍ରା’ର ଅଭିଜ୍ଞତା ବି ବଖାଣିବେ। ଏହାଛଡ଼ା, ରାହୁଲ୍‌ ପ୍ରଫେସର୍‌ ଶ୍ରୁତି କପିଳାଙ୍କ ସହିତ ‘ବିଗ୍‌ ଡାଟା ଆଣ୍ଡ୍‌ ଡେମୋକ୍ରାସି’ ଏବଂ ‘ଇଣ୍ଡିଆ-ଚାଇନା ରିଲେସନ୍‌ସ୍‌’ ଶୀର୍ଷକ ଆଉ ଗୋଟାଏ ରୁଦ୍ଧଦ୍ବାର ଅଧିବେଶନରେ ବି ଅଂଶ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପ୍ରଫେସର୍‌ ଶ୍ରୁତି କପିଳା ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ସେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ‘କର୍ପସ୍‌ କ୍ରିଷ୍ଟି କଲେଜ୍‌’ର ‘ଟ୍ୟୁଟର୍‌ ଆଣ୍ଡ୍‌ ଷ୍ଟଡିଜ୍‌’ର ନିର୍ଦେଶିକା ତଥା ‘ଗ୍ଲୋବାଲ୍‌ ହ୍ୟୁମାନିଟିଜ୍‌ ଇନିସିଏଟିଭ୍‌’ର ସହନିର୍ଦେଶିକା ଅଛନ୍ତି।
ଏହା ବ୍ୟତିରେକେ, ଚଳିତ ସପ୍ତାହ ସାରା ରାହୁଲ୍‌ ଗାନ୍ଧୀ ‘ଇଣ୍ଡିଆନ୍‌ ଓଭର୍‌ସିଜ୍‌ କଂଗ୍ରେସ’, ‘ଦି ୟୁକେ ଚାପ୍ଟର୍‌’ର ପ୍ରତିନିଧିମାନଙ୍କ ସହିତ ଆଳାପ ଆଲୋଚନା ଏବଂ ଲଣ୍ଡନ୍‌ରେ ଭାରତୀୟ ବଂଶୋଦ୍ଭବଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ।

Leave a Reply

Your email address will not be published. Required fields are marked *