ଭୁବନେଶ୍ୱର: ପୁଣି ଥରେ କୋଟିଆକୁ ନେଇ ମୁହାଁମୁହିଁ ଆନ୍ଧ୍ର ଓ ଓଡ଼ିଶା। ଏଥର ଆଉ ଟିକେ ଆଗକୁ ଯାଇ ଆନ୍ଧ୍ର ପ୍ରଦେଶ କୋଟିଆରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏହା ସହ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି। ବିଜେଡି ରାଜ୍ୟ ସରକାରଙ୍କୁ ଏମିତି ସ୍ଥିତି ପାଇଁ ଦାୟୀ କରିଥିବା ବେଳେ ଏହି ସମ୍ବେଦନଶୀଲ ପ୍ରସଙ୍ଗକୁ ନେଇ ଆସିଛି ସାଂସଦ ତଥା ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ।
ଓଡ଼ିଶା ଏବଂ ପ୍ରତ୍ୟେକ ଓଡ଼ିଆ ଜାତି ପାଇଁ କୋଟିଆ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ସମସ୍ତେ ଜାଣିଛନ୍ତି। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ। ଓଡ଼ିଆ ଭାବେ କୋଟିଆକୁ ନେଇ ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ। ଦଳ ମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ଚିଠି
ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ ନିଜେ ଏପ୍ରିଲ ୨୦୧୮, ଫେବୃୟାରୀ ୨୦୧୯ ଏବଂ ଏପ୍ରିଲ ୨୦୨୩ରେ କୋଟିଆ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ତଥା ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ସେ ନଭେମ୍ବର ୧୮, ୨୦୨୦ ଓ ଅକ୍ଟୋବର ୩୧, ୨୦୨୨ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସେପ୍ଟେମ୍ବର ୨୨, ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳର ସମସ୍ୟାର ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚ ସ୍ତରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏକ ଅନୁକୂଳ ବାତାବରଣ ତିଆରି କରି ସମାଧାନର ସ୍ଥାୟୀ ବାଟ କାଢ଼ିବା ଆବଶ୍ୟକ। ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭଳି ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନ କେବେହେଲେ ବ୍ୟର୍ଥ ଯିବ ନାହିଁ। ଓଡ଼ିଆ ଅସ୍ମିତା ପାଇଁ ଆମର ଏହି ନିରନ୍ତର ଲଢ଼େଇ ଜାରି ରହିବ। ଓଡ଼ିଶାର ଏକତା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।