Spread the love

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି ।  SP-DCPଙ୍କ ସହ DGPଙ୍କ ସମୀକ୍ଷା ।  କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଫେରୁଛି ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ମତଦାନ ହେବାକୁ ଥିବାବେଳେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରସ୍ତୁତିକୁ ଜୋରଦାର କରିଛି।  ଆଜି ପୋଲିସ ମୁଖ୍ୟାଳୟରେ DGP ବିନୟତୋଷ ମିଶ୍ର ବିଭିନ୍ନ ଜିଲ୍ଲାର SP ଏବଂ କଟକ-ଭୁବନେଶ୍ୱର DCPଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ କ୍ୟାମ୍ପସରେ କିଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି। ନିଜ ନିଜ ଅଞ୍ଚଳର ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ପୋଲିସ ଅଧିକାରୀଙ୍କୁ କୁହାଯାଇଛି। ନିର୍ବାଚନ ସମୟରେ ଅଣଛାତ୍ର ବା ବାହାର ଲୋକ ଯେପରି କ୍ୟାମ୍ପସ ଭିତରକୁ ପ୍ରବେଶ ନକରନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ DGP ପରାମର୍ଶ ଦେଇଛନ୍ତି। ବାହାର ତତ୍ତ୍ୱ କ୍ୟାମ୍ପସକୁ ପ୍ରବେଶ କଲେ ଗଣ୍ଡଗୋଳ ଓ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ବଢ଼େ ବୋଲି ସେ କହିଛନ୍ତି।

ନିର୍ବାଚନକୁ ନେଇ ଉତ୍ସାହରେ ଛାତ୍ରଛାତ୍ରୀ କୌଣସି ଛୋଟମୋଟ ବିଶୃଙ୍ଖଳା କଲେ ସେମାନଙ୍କ ସହ ଅପରାଧୀ ଭଳି ବ୍ୟବହାର ନକରିବାକୁ DGP ଜିଲ୍ଲା ପୋଲିସକୁ କହିଛନ୍ତି। ଏଭଳି ପରିସ୍ଥିତିକୁ ସମ୍ବେଦନଶୀଳତାର ସହ ମୁକାବିଲା କରିବାକୁ କୁହାଯାଇଛି।ଉଦ୍ଦେଶ୍ୟମୂଳକ ଗଣ୍ଡଗୋଳ ହେଲେ କାର୍ଯ୍ୟାନୁଷ୍ଠାନ: କିନ୍ତୁ କେହି ଜାଣିଶୁଣି ବା ଉଦ୍ଦେଶ୍ୟମୂଳକ ଭାବେ ବଡ଼ ବିଶୃଙ୍ଖଳା ସୃଷ୍ଟି କଲେ ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି DGP ସ୍ପଷ୍ଟ କରିଛନ୍ତି। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ ହେବ। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସରେ ପୁଣି ଛାତ୍ର ନିର୍ବାଚନ ହେଉଥିବାରୁ ନିର୍ବାଚନୀ ମାହୋଲ ତେଜିବାରେ ଲାଗିଛି।

ଅକ୍ଟୋବର ୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ରେ ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ ହେବ। । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅକ୍ଟୋବର ୧୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୪ରେ ‘Why I Stand For’ ବୈଠକରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜର ଏଜେଣ୍ଡା ରଖିବେ। ଜଣେ ପ୍ରାର୍ଥୀ ନିର୍ବାଚନରେ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ପ୍ରାର୍ଥୀଙ୍କର ଅତିକମରେ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ରହିବା ମଧ୍ୟ ଆବଶ୍ୟକ।

ଛପା ପୋଷ୍ଟର ଓ ପାମ୍ପଲେଟ୍ ବ୍ୟବହାର ଉପରେ କଟକଣା ରହିଛି। ନିର୍ଦ୍ଦିଷ୍ଟ ସ୍ଥାନରେ ହାତ ତିଆରି ପୋଷ୍ଟର ବ୍ୟବହାର କରାଯାଇପାରିବ। ଲାଉଡସ୍ପିକର, ଗାଡ଼ି ଏବଂ AI ଦ୍ୱାରା ପ୍ରସ୍ତୁତ ମିଥ୍ୟା ବା ବିକୃତ କଣ୍ଟେଣ୍ଟ ବ୍ୟବହାର ଉପରେ ମଧ୍ୟ କଟକଣା ରହିଛି। ଅକ୍ଟୋବର ୧୫ରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ଭୋଟ୍ ଶେଷ ହେବା ପରେ ସେହିଦିନ ଅପରାହ୍ନ ୨ଟାରୁ ଗଣତି ଆରମ୍ଭ ହେବ ଏବଂ ପରେ ଫଳାଫଳ ଘୋଷଣା କରାଯିବ। ଫଳାଫଳ ପରବର୍ତ୍ତୀ ସମୟରେ ମଧ୍ୟ କ୍ୟାମ୍ପସରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନହୁଏ, ତାହା ଶାନ୍ତିଶୃଙ୍ଖଳା ବ୍ୟବସ୍ଥାର ଏକ ପ୍ରମୁଖ ଦିଗ ରହିବ।

Leave a Reply

Your email address will not be published. Required fields are marked *