Spread the love

ନୂଆଦିଲ୍ଲୀ : ୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ । ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର ପ୍ରତିଷ୍ଠାରେ ତାଙ୍କର ବଡ଼ ଅବଦାନ ଏବଂ ମହାକାଶରୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋକୁ ଚିହ୍ନଟ କରିବାରେ ତାଙ୍କ କାମ ପାଇଁ ଏହି ନୋବେଲ୍ ଦିଆଯାଇଛି । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।

ହାଲଜେନଙ୍କ ଗବେଷଣା ବ୍ରହ୍ମାଣ୍ଡରେ ଘଟୁଥିବା ଅତ୍ୟନ୍ତ ଶକ୍ତିଶାଳୀ ଘଟଣାଗୁଡ଼ିକର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ନୂଆ ରାସ୍ତା ଦେଖାଇଛି । ହାଲଜେନ ଦକ୍ଷିଣ ମେରୁର ଗଭୀର ବରଫକୁ ଏକ ବିଶାଳ କଣିକା ଚିହ୍ନଟ କେନ୍ଦ୍ର ଭାବେ ବ୍ୟବହାର କରିବାର ଧାରଣା ଦେଇଥିଲେ । ଏହି ଧାରଣାକୁ ଆଧାର କରି ପରେ ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର ତିଆରି ହୋଇଥିଲା । ଦକ୍ଷିଣ ମେରୁର ବରଫ ତଳେ ପ୍ରାୟ ଏକ ଘନ କିଲୋମିଟର ଅଞ୍ଚଳରେ ଅନେକ ଆଲୋକ ସମ୍ବେଦନଶୀଳ ଯନ୍ତ୍ର ଲଗାଯାଇଛି । ଏହି ଯନ୍ତ୍ରଗୁଡ଼ିକ ମହାକାଶରୁ ଆସୁଥିବା ନ୍ୟୁଟ୍ରିନୋକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।

ନ୍ୟୁଟ୍ରିନୋ କ’ଣ ?

ନ୍ୟୁଟ୍ରିନୋ ହେଉଛି ଅତି କ୍ଷୁଦ୍ର କଣିକା । ଏହା ଆମ ଚାରିପାଖରେ ଥିବା ପଦାର୍ଥ ମଧ୍ୟ ଦେଇ ସହଜରେ ଚାଲିଯାଇପାରେ । ସେଥିପାଇଁ ଏହାକୁ ଚିହ୍ନଟ କରିବା ବହୁତ କଷ୍ଟକର । କିନ୍ତୁ ଆଇସ୍ କ୍ୟୁବ୍ ଜରିଆରେ ଦୂର ମହାକାଶରୁ ପୃଥିବୀକୁ ଆସୁଥିବା ଏଭଳି ନ୍ୟୁଟ୍ରିନୋକୁ ଚିହ୍ନଟ କରାଯାଇଛି । ଏହା ଫଳରେ ବ୍ରହ୍ମାଣ୍ଡର ଅନେକ ଅଜଣା ଘଟଣା ସମ୍ପର୍କରେ ବୈଜ୍ଞାନିକମାନେ ନୂଆ ତଥ୍ୟ ପାଇପାରୁଛନ୍ତି।

ହାଲଜେନଙ୍କ ଏହି କାମ ‘ନ୍ୟୁଟ୍ରିନୋ ଜ୍ୟୋତିର୍ବିଜ୍ଞାନ’ ନାମକ ଏକ ନୂଆ ଗବେଷଣା କ୍ଷେତ୍ରକୁ ଆଗକୁ ନେଇଛି । ଅର୍ଥାତ୍ ନ୍ୟୁଟ୍ରିନୋକୁ ଅଧ୍ୟୟନ କରି ବ୍ରହ୍ମାଣ୍ଡର ଦୂରଦୂରାନ୍ତରେ କ’ଣ ଘଟୁଛି, ତାହା ଜାଣିବାରେ ଏହା ସାହାଯ୍ୟ କରୁଛି । ଏହି ନୋବେଲ୍ ପୁରସ୍କାର ସହ ୧୨ ନିୟୁତ ସ୍ୱିଡିଶ୍ କ୍ରୋନା, ଅର୍ଥାତ୍ ପ୍ରାୟ ୧୨ ଲକ୍ଷ ଆମେରିକୀୟ ଡଲାରର ପୁରସ୍କାର ରାଶି ରହିଛି ।

Leave a Reply

Your email address will not be published. Required fields are marked *