ଲକ୍ଷ୍ନୌ: ଚୌଧୁରୀ ଚରଣ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଥିବା ଲେବର ରୁମରେ ଭୟଙ୍କର ନିଆଁ ଲାଗିଛି । ଏୟାରପୋର୍ଟ ସୁରକ୍ଷାକର୍ମୀ ଏବଂ ସରୋଜିନୀ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ଗାଡ଼ି ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଦମକଳ ବିଭାଗର ୭ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସୂଚନା ମୁତାବକ, ସକାଳ ପ୍ରାୟ ୬ଟା ୫୦ ମିନିଟରେ ଚୌଧୁରୀ ଚରଣ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଥିବା ଟାଟା ପ୍ରୋଜେକ୍ଟସର ଲେବର ରୁମରେ ନିଆଁ ଲାଗିଥିଲା । ଏହି ତିନି ମହଲା ବିଶିଷ୍ଟ ଅସ୍ଥାୟୀ ଘରଟି PVC ପ୍ୟାନେଲରେ ନିର୍ମିତ ହୋଇଥିଲା । ଏଠାରେ ୩୩ଟି ରୁମ୍ ଥିବା ବେଳେ ପ୍ରାୟ ୫୦୦ ଶ୍ରମିକ ରହିପାରୁଥିଲେ । ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା ।
ଘଟଣାର ଖବର ପାଇ ଏୟାରପୋର୍ଟ ସୁରକ୍ଷା କର୍ମଚାରୀ, ସରୋଜିନୀ ନଗର ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକାଧିକ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ପ୍ରାୟ ୪୫ ମିନିଟରେ ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।
ପ୍ରାଥମିକ ତଦନ୍ତରେ ଶ୍ରମିକମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ LPG ସିଲିଣ୍ଡର ସମ୍ପର୍କିତ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।