Spread the love

ଭୁବନେଶ୍ୱର: ଇଣ୍ଡି ମେଣ୍ଟ ପକ୍ଷରୁ ଅକ୍ଟୋବର ୮, ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିରୋଧୀ ନେତା । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ ।

ଏହା ସହିତ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଇଣ୍ଡି ମେଣ୍ଟର ନେତାମାନେ କହିଛନ୍ତି ଯେ, ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର, ଏମ୍ଏମ୍ଡିଆର୍ (MMDR) ସଂଶୋଧିତ ଆଇନ ପ୍ରତ୍ୟାହାର, ବନ୍ୟା ପୀଡ଼ିତଙ୍କୁ ଯଥେଷ୍ଟ ସହାୟତା ଓ ପୁନର୍ବାସ, ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ଏକ ଲଢ଼େଇ । ଓଡ଼ିଶାକୁ ଭଲପାଉଥିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଚାହୁଁଥିବା ସମସ୍ତ ଜନସାଧାରଣ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ବନ୍ଦରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ବିରୋଧୀ ମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *