ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ? ତିନି ଥର ତାରିଖ ଘୁଞ୍ଚିବା ପରେ ଏବେ ଉଠିଛି ପ୍ରଶ୍ନ । ସରକାର ସଠିକ ସମୟରେ ନିର୍ବାଚନ କରାନ୍ତୁ । ନିର୍ବାଚନ ପାଇଂ ବିଜେଡି ସବୁବେଳେ ପ୍ରସ୍ତୁତ । ସେପଟେ କଂଗ୍ରେସ କହିଛି, ତାଙ୍କ ଦଳ ବି ରେଡ୍ଡି ରହିଛି । ଲୋକଙ୍କ ସେବା କରିବାକୁ ସୁଯୋଗ ଦିଆଯାଉ ।
ତିନି ଥର ପଞ୍ଚାୟତ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି ବିଜେଡି ଏବଂ କଂଗ୍ରେସ । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯଥାଶୀଘ୍ର ପଞ୍ଚାୟତ ନିର୍ବଚନ କରାଯାଉ । ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ। ସରକାର ଠିକ୍ ସମୟରେ ନିର୍ବାଚନ କରନ୍ତୁ। ଗାଁ ଗଣ୍ଡାର ସମସ୍ୟାକୁ ନେଇ ଆମେ ଲଢେଇ କରିବୁ । ବର୍ତ୍ତମାନ ଗାଁ ଗୁଡ଼ିକ ସମସ୍ୟା ଘେରରେ ରହିଛି । ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ଦିଆଯାଉନାହିଁ । ଲୋକେ ହଇରାଣ ହେଉଛନ୍ତି, ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଖାଲି ଗ୍ରାମବାସୀ ନୁହନ୍ତି, ଗାଁରେ ରହୁଥିବା ସରକାରୀ ଚାକିରିଆମାନେ ଅସନ୍ତୁଷ୍ଟ ଅଛନ୍ତି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇପାରୁନାହାନ୍ତି। ସରକାର ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଉଛି ।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ସରକାର ଯଦି ଠିକ୍ ସମୟରେ ନିର୍ବାଚନ କରୁଛନ୍ତି, ତେବେ ତାହା ସ୍ବାଗତଯୋଗ୍ୟ । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ପଞ୍ଚାୟତ ନିର୍ବାଚନ ତାରିଖ ତିନି ଥର ଘୁଞ୍ଚି ସାରିଲାଣି । ପଞ୍ଚାୟତ ଏବଂ ପୌର ନିର୍ବାଚନ ସଠିକ୍ ସମୟରେ ହେବା ଦରକାର । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ସେମାନଙ୍କ ସ୍ବାଧୀନତା ଫେରାଇ ଦିଆଯାଉ । ମାର୍ଚ୍ଚରେ ପଞ୍ଚାୟତ ଓ ଏପ୍ରିଲରେ ପୌର ନିର୍ବାଚନ ହେଉ । କଂଗ୍ରେସ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସୁରେଶ ରାଉତରାୟ କହିଛନ୍ତି ।