କଙ୍ଗୋ: ମଧ୍ୟ ଆଫ୍ରିକାର କଙ୍ଗୋ ଦେଶର ରାଜଧାନୀ କିଂଶାସାରେ ଚାଲିଥିବା ବିବାହ ଉତ୍ସବ ଶୋକରେ ପରିଣତ ହୋଇଛି । ଶୁକ୍ରବାର ରାତିରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ଏହି ଘଟଣାଟି ଉତ୍ତର କିନଶାସାର ଲିଙ୍ଗୱାଲା ଅଞ୍ଚଳରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଏକ ବିବାହ ଭୋଜିରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଶନିବାର ଭୋର ସୁଦ୍ଧା ସମଗ୍ର କୋଠା ପାଉଁଶ ହୋଇଯାଇଥିଲା । ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ ଲୋକମାନେ ନିଜ ଜୀବନ ରକ୍ଷା କରିବା ପାଇଁ ସେଠାରୁ ଖସିଯିବା କଷ୍ଟକର ଥିଲା ।
ଏହାରି ମଧ୍ଯରେ ଘଟଣାସ୍ଥଳରୁ ବାହାରି ଆସିଥିବା ଲୋକମାନେ ଆହତମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିଛି ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଅନେକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୨ ଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।
ଅନ୍ୟପଟେ କଙ୍ଗୋର ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଜ୍ୟାକମିନ୍ ଶାବାନି ଏହି ଦୁର୍ଘଟଣାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହ ସେ ଶନିବାର ସକାଳେ ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଥିଲେ ।