ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଥିଲା । ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ ମିନିଟ ସମୟରେ ଅଗ୍ନିଶମ ବିଭାଗକୁ ଏକ କୋଠା ଭୁଶୁଡ଼ି ପଡ଼ିବା ସୂଚନା ମିଳିଥିଲା । ଏହି ଦୁର୍ଘଟଣା ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମ ବିଭାଗର ପ୍ରାୟ ୮ଟି ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଏଥିସହ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ମଧ୍ୟ ପହଞ୍ଚି ଉଦ୍ଧାରକାରୀ ଟିମ୍କୁ ସାହାଯ୍ୟ କରୁଛନ୍ତି । ଦୁର୍ଘଟଣା ଘଟିଥିବା ଅଞ୍ଚଳଟି ଦିଲ୍ଲୀର ମୋତି ବାଗ ଅଞ୍ଚଳ ସ୍ଥିତ ଶିବ ମନ୍ଦିର ନିକଟରେ ବୋଲି ଜଣାପଡ଼ିଛି ।ଅନ୍ୟପଟେ ଏହି ଦୁର୍ଘଟଣାରେ କେତେ ଜଣ ପ୍ରଭାବିତ ହୋଇଛନ୍ତି ଏବଂ ମୃତ୍ୟୁ କିମ୍ବା ଆହତ ଲୋକଙ୍କ ସୂଚନା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।