ଝାଡ଼ଖଣ୍ଡ : ଝାଡ଼ଖଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଏବଂ ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ସୂଚନାନୁଯାୟୀ, ସୁଦିବ୍ୟ କୁମାର ସୋନୁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଗିରିଡିହର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଗିରିଡିହ ସମେତ ସମଗ୍ର ଝାଡ଼ଖଣ୍ଡରେ ଶୋକର ଲହରୀ ଖେଳିଗଲା । ତାଙ୍କ ମୃତ୍ୟୁ ଖବର ପାଇ ସମର୍ଥକ ଏବଂ ଦଳୀୟ କର୍ମୀମାନେ ତାଙ୍କ ବାସଭବନରେ ପହଞ୍ଚିବା ଆରମ୍ଭ କରିଦେଲେ ।
ଅନ୍ୟପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଇନଷ୍ଟାଗ୍ରାମରେ ପୋଷ୍ଟ କରି ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛି । ଏଥିସହ ସେ ଲେଖିଛି ଯେ, ଜୀବନ କ୍ଷଣସ୍ଥାୟୀ । ଗତକାଲି ଆମ ସହିତ ଥିବା ସାଥୀମାନଙ୍କ ସ୍ମୃତି ଆଜି ମଧ୍ୟ ଆମ ସହିତ ରହିଛି । ଜୀବନର ଅନିଶ୍ଚିତତା ପୁଣି ଥରେ ଆମକୁ ଗଭୀର ଦୁଃଖ ଏବଂ ଶୋକରେ ପକାଇଛି । ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ସୁଦିବ୍ୟ କୁମାରଙ୍କ ଅକାଳ ବିୟୋଗରେ ସମଗ୍ର JMM ପରିବାର ମର୍ମାହତ ଏବଂ ଦୁଃଖିତ । ତାଙ୍କ ବିୟୋଗ ଦଳ, ସରକାର ଏବଂ ଝାଡ଼ଖଣ୍ଡ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସଂଘର୍ଷ, ସେବା ଏବଂ ଅବଦାନ ସର୍ବଦା ମନେ ରହିବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପରିବାର ପକ୍ଷରୁ ହୃଦୟରୁ ଶ୍ରଦ୍ଧାଞ୍ଜଳି । ଭଗବାନ ସ୍ୱର୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାର ଏବଂ ସମସ୍ତ ସହକର୍ମୀଙ୍କୁ ଶକ୍ତି ଦିଅନ୍ତୁ ।