Spread the love

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ ଖୋଲିଛି ଚାଉଳ ATM। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ATM ଖୋଲିବା ନେଇ ମନ୍ତ୍ରୀ ଦେଇଛନ୍ତି ସୂଚନା।

ଦୁଇ ବର୍ଷ ତଳେ ଅର୍ଥାତ୍‌ ୨୦୨୪ ଅଗଷ୍ଟ ୨୪ ତାରିଖରେ ଭୁବନେଶ୍ୱରର ପ୍ରଥମେ ଚାଉଳ ଏଟିଏମ୍‌ ପ୍ରତିଷ୍ଠା କରାଯାଇଥିଲା । ପରେ ଝାରସୁଗୁଡ଼ାରେ ଖୋଲାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିଜ ଜିଲ୍ଲା ଢେଙ୍କାନାଳରେ ଚାଉଳ ଏଟିଏମ୍‌ ସ୍ଥାପନ କରାଯାଇଛି । ଢେଙ୍କାନାଳ ସହର୍‌ର ଆର୍‌ଟିଓ ଅଫିସ୍‌ ନିକଟରେ ଏହା ଖୋଲିଛି। ଘର ତିଆରି ସହ ମେସିନ୍‌ ଖଞ୍ଜାଯାଇଛି।

ମେସିନ୍‌ରେ ୨୫ କୁଇଣ୍ଟାଲରୁ ଅଧିକ ଚାଉଳ ରହିଥିବ। ହିତାଧିକାରୀ ନିଜର ରାସନ କାର୍ଡର ନମ୍ବର ମାରି, ଟିପଚିହ୍ନ ଦେଇ ସେମାନଙ୍କ ଚାଉଳ ଉଠାଇ ପାରିବେ। ସମ୍ମୁଖ ଭାଗରେ ବସ୍ତା ରଖିବାକୁ ଏକ ସ୍ଥାନ ରହିଛି। ସେଥିରେ ଚାଉଳ ଅତି କମ୍‌ ସମୟ ମଧ୍ୟରେ ଭରି ହୋଇଯିବ। କେତେ ଚାଉଳ ଦିଆଗଲା ତାହାର ପରିମାଣ ସେଠାରେ ଦେଖାଯିବ। ହିତାଧିକାରୀ ଯେବେ ଚାହିଁବେ ଯାଇ ଚାଉଳ ଉଠାଇ ପାରିବେ। ଡିଲରଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଉକ୍ତ ଏଟିଏମ୍‌ ୨୪ ଘଣ୍ଟା କାର୍ଯ୍ୟ କରିବ। ହିତାଧିକାରୀ ଯେବେ ଚାହିଁବେ ଓ ତାଙ୍କ ଭାଗର ଯେତିକି ପରିମାଣର ଚାଉଳ ଆଣିବାକୁ ଚାହିଁବେ ଆଣିପାରିବେ। ଚାଉଳ ଓ ଗହମ ଉଭୟର ବିକଳ୍ପ ରହିବ। ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ସାଢ଼େ ୮ ଲକ୍ଷ ହିତାଧିକାରୀ ରାସନ କାର୍ଡରେ ଆନ୍ତର୍ଭୁକ୍ତ ହୋଇ ରାସନ ପାଉଛନ୍ତି।

Leave a Reply

Your email address will not be published. Required fields are marked *