Spread the love

ନୂଆଦିଲ୍ଲୀ:ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ସ୍ଥିତ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତର କହିବା ଅନୁଯାୟୀ, ଏହି ତଥାକଥିତ ମଧ୍ୟସ୍ଥତା କୋର୍ଟର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଚୁକ୍ତିନାମା ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତି ଉପରେ ମଧ୍ୟ ଏହି ସଂସ୍ଥା ହସ୍ତକ୍ଷେପ କରିପାରିବ ନାହିଁ ବୋଲି ନୂଆଦିଲ୍ଲୀ କହିଛି।

ସୋମବାର ମଧ୍ୟସ୍ଥତା କୋର୍ଟ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କିତ ଅନ୍ତରୀଣ ପଦକ୍ଷେପ ଓ ଚୁକ୍ତିର ସ୍ଥିତିକୁ ନେଇ ଏକ ରାୟ ପ୍ରକାଶ କରାଯାଇଥିଲା। ଏହା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଠୋର ପ୍ରତିକ୍ରିୟା ଦେଇଛି।ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରି ବିଶ୍ୱ ବ୍ୟାଙ୍କ ଦ୍ୱାରା ଏହି ତଥାକଥିତ କୋର୍ଟ ଗଠନ କରାଯାଇଛି। ତେଣୁ ଭାରତ ଏହାର ରାୟକୁ ଗ୍ରହଣ କରୁନାହିଁ। ଏହି ସଂସ୍ଥାର ପୂର୍ବ ନିଷ୍ପତ୍ତିଗୁଡ଼ିକୁ ମଧ୍ୟ ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଆସିଛି।

ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ ଭାରତ କେବେବି ଏହି ମଧ୍ୟସ୍ଥତା ସଂସ୍ଥାର ଆଇନଗତ ଅସ୍ତିତ୍ୱକୁ ସ୍ୱୀକାର କରିନାହିଁ। ଏହାର ପ୍ରତିଷ୍ଠା ନିଜେ ସିନ୍ଧୁ ଜଳ ଚୁକ୍ତିନାମାର ଗୁରୁତର ଉଲ୍ଲଂଘନ ବୋଲି ଭାରତ ନିରନ୍ତର ଭାବେ ଦାବି କରିଆସିଛି।୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କଠୋର ପଦକ୍ଷେପ ନେଇଥିଲା। ଏହାର ଅଂଶ ଭାବେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖାଯାଇଥିଲା। ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନର ଜବାବରେ ଏହି ପଦକ୍ଷେପ ନିଆଯାଇଥିବା ଭାରତ କହିଥିଲା।ଭାରତ ଏହି ମଧ୍ୟସ୍ଥତା ସଂସ୍ଥା ସମ୍ମୁଖରେ କେବେ ହାଜର ହୋଇନାହିଁ ଏବଂ ଏହାର ଅଧିକାରକୁ ସ୍ୱୀକାର କରିନାହିଁ। ତେଣୁ ଏହି ସଂସ୍ଥା ଦେଇଥିବା କୌଣସି ରାୟ ଭାରତ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ନୂଆଦିଲ୍ଲୀ ନିଜ ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *