ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯଦି ଏହି କଳ୍ପନାଜଳ୍ପନା ସତ ହୁଏ, ତେବେ ରାଜ୍ୟରେ ଏହା ଏକ ବଡ଼ ରାଜନୈତିକ ଭୂକମ୍ପ ସୃଷ୍ଟି କରିବ ଏବଂ ଶାସକ ମେଣ୍ଟର ଗଣିତକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ, ବିଜେପିରେ ସାମିଲ ହେବା ନେଇ ୟୁଡିପିର ଏହି ୯ ଜଣ ବିଧାୟକଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇଛନ୍ତି ଏବଂ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସେମାନଙ୍କର ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବରୁ ଏହି ବିଧାୟକମାନେ ଏଫସିଆରଏ ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ସେହି ସମୟରୁ ହିଁ ଏହି ଦଳବଦଳ ପ୍ରକ୍ରିୟାର ମୂଳଦୁଆ ପଡ଼ିଥିଲା ବୋଲି ଏବେ ବିଶ୍ୱାସ କରାଯାଉଛି । ତେବେ ୟୁଡିପିର ସଭାପତି ମେଟବା ଲିଙ୍ଗଡୋ, ନୁଜୋରକି ସୁଙ୍ଗୋହ ଏବଂ ରେନିକଟନ ଲିଙ୍ଗଡୋ ଟୋଙ୍ଗଖାରଙ୍କ ଭଳି ୩ ଜଣ ବରିଷ୍ଠ ନେତା ଦଳରେ ରହିବେ ବୋଲି ଜଣାପଡିଛି । ଅବଶ୍ୟ, ଏଭଳି କୌଣସି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ଆନୁଷ୍ଠାନିକ ଖବର ନାହିଁ ବୋଲି ଦଳର ସଭାପତି ମେଟବା ଲିଙ୍ଗଡୋ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହି ରାଜନୈତିକ ସଙ୍କଟ ୟୁଡିପି ପାଇଁ ଏକ ବଡ଼ କ୍ଷତି ହେବ, କାରଣ ଦଳ ପୂର୍ବରୁ ମେଘାଳୟର ସ୍ୱତନ୍ତ୍ର ପରିଚୟ ଏବଂ ସାଂସ୍କୃତିକ ସ୍ୱାର୍ଥ ରକ୍ଷାକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଆସିଛି ।
ବର୍ତ୍ତମାନ ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ୩୩ ଜଣ ବିଧାୟକ ଥିବାବେଳେ ୟୁଡିପିର ୧୨ ଜଣ ବିଧାୟକ ଅଛନ୍ତି । ସେହିପରି ଶାସକ ମେଣ୍ଟରେ ସାମିଲ ଥିବା ବିଜେପିର ମାତ୍ର ୨ ଜଣ ବିଧାୟକ ରହିଛନ୍ତି। ଯଦି ୯ ଜଣ ୟୁଡିପି ବିଧାୟକ ପଦ୍ମ ଧରନ୍ତି, ତେବେ ବିଜେପି ବିଧାୟକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇବ। ଫଳରେ ସରକାରରେ ବିଜେପିର ଦବଦବା ବଢ଼ିବା ସହ ଅଧିକ ମନ୍ତ୍ରୀ ପଦ ହାତେଇବାରେ ଦଳ ସକ୍ଷମ ହୋଇପାରିବ। ଏହା ମଧ୍ୟ ଖାସି ଏବଂ ଜୟନ୍ତିଆ ପାହାଡ଼ିଆ ଅଞ୍ଚଳରେ ବିଜେପିକୁ ଅଧିକ ସୁଦୃଢ଼ କରିବ।
କେବଳ ୟୁଡିପି ନୁହେଁ, ବରଂ ତୃଣମୂଳ କଂଗ୍ରେସ (ଟିଏମସି)ର କିଛି ବିଧାୟକ ମଧ୍ୟ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଆଗାମୀ ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳର ଏହି ରାଜ୍ୟରେ ନିଜର ଦଳୀୟ ଆଧାରକୁ ମଜବୁତ କରିବା ପାଇଁ ଏହା ବିଜେପିର ଏକ ସୁଚିନ୍ତିତ ରଣନୀତି ।