ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାର ଜବାବରେ ମାଞ୍ଝୀ ମଧ୍ୟ ଚିରାଗଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ବିବାଦ ଆହୁରି ତୀବ୍ର ହୋଇଛି।
ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏଭଳି ଖୋଲାଖୋଲି ମତଭେଦ NDAରେ ବିରଳ। ତେଣୁ ଏହି ଘଟଣାକୁ ନେଇ ଶାସକ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ବିବାଦର ମୂଳ କାରଣ ହେଉଛି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ଆରକ୍ଷଣ ମଧ୍ୟରେ ଉପ-ବର୍ଗୀକରଣ (Sub-categorisation) ଏବଂ କ୍ରିମି ଲେୟର୍ ବ୍ୟବସ୍ଥା ଲାଗୁ କରିବା ପ୍ରସଙ୍ଗ। ମାଞ୍ଝୀଙ୍କ ଦଳ HAM (ସେକ୍ୟୁଲାର) ଦାବି କରିଛି ଯେ ବର୍ତ୍ତମାନର ଆରକ୍ଷଣ ବ୍ୟବସ୍ଥାର ସମୀକ୍ଷା ଆବଶ୍ୟକ। ଦଳ ପକ୍ଷରୁ SC ଓ ST ମଧ୍ୟରେ ଅଧିକ ପଛୁଆ ସମୁଦାୟଙ୍କୁ ଆରକ୍ଷଣର ଲାଭ ନିଶ୍ଚିତ କରିବା ପାଇଁ ଉପ-କୋଟା ବ୍ୟବସ୍ଥାକୁ ସମର୍ଥନ କରାଯାଇଛି। ମାଞ୍ଝୀଙ୍କ ପୁଅ ତଥା ବିହାର ସରକାରର ମନ୍ତ୍ରୀ ସନ୍ତୋଷ କୁମାର ସୁମନ କହିଛନ୍ତି ଯେ ଆରକ୍ଷଣର ଲାଭ ଅତ୍ୟନ୍ତ ଦୁର୍ବଳ ଓ ଐତିହାସିକ ଭାବେ ବଞ୍ଚିତ ସମୁଦାୟଙ୍କ ପାଖରେ ପହଞ୍ଚିବା ଦରକାର। ତାଙ୍କ ମତରେ, ଆରକ୍ଷଣ ବନ୍ଦ କରିବା ନୁହେଁ, ବରଂ ଏହାକୁ ଅଧିକ ନ୍ୟାୟସଙ୍ଗତ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟ।