Spread the love

ଯାଜପୁର / ଭଦ୍ରକ : ପୁଣି ଡରାଇଲାଣି ବୈତରଣୀ ବନ୍ୟା । ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସୁଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଗତ ଜୁଲାଇ ୨୯ରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ତରପଦା ପଞ୍ଚାୟତ ଅଧୀନ ଡୋଭାବିଲ-ପାଟଣା ନିକଟରେ ୨ଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶି ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା । ପରେ ଘାଇ ମରାମତି କର୍ଯ୍ୟ ଜାରି ରହିଥିବା ବେଳେ ବୈତରଣୀରେ ତୃତୀୟ ବନ୍ୟା ଆସିବା ପରେ ପୁଣି ସ୍ଥିତି ଗମ୍ଭୀର ହୋଇପଡ଼ିଛି । ଘାଇ ମରାମତି କରାଯାଇଥିବା ସ୍ଥାନର ଉଚ୍ଚତାଠାରୁ ପ୍ରାୟ ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ବିପନ୍ନ ଲୋକେ ଏଯାଏଁ ଘରକୁ ଫେରି ନଥିବା ବେଳେ ପୁଣି ଲଘୁଚାପଜନିତ ବର୍ଷା ଓ ବନ୍ୟା ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ନାଳିଆ ନଦୀରେ ୩ଶହ ଫୁଟର ଘାଇ । ଭଦ୍ରକରେ ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ । ଏକର ଏକର ଚାଷ ଜମି ଜଳମଗ୍ନ ସହ ଗାଁରେ ପଶିଲା ବନ୍ୟା ପାଣି । ବିଲଣା ପଞ୍ଚାୟତର ଲଞ୍ଜା ତରା ଠାରେ ନାଳିଆ ନଦୀର ୩ଶହ ଫୁଟରୁ ଅଧିକ ଘାଇ ଓ ସାଳନ୍ଦୀ ନଦୀର ବାରୋ ଡିହ କୁଆ ମାହାରା ଠାରେ ଶହେ ଫୁଟ ଘାଇ ହୋଇ ଯାଇଛି ।  ଫଳରେ ଗତ କାଲି ଠାରୁ ବନ୍ୟା ଜଳ ବିଲଣା ପଞ୍ଚାୟତର ଲଞ୍ଜା ତରା, ବିଲଣା ଶାସନ, ନୂଆ ପାଟଣା, କେର ଡିହ ଆଦି ଗାଁ ଚାଷ ଜମିରେ ବନ୍ୟା ପାଣି ପୁଣି ଥରେ ପ୍ରବେଶ କରିଛି । ସେହିପରି ବାରୋ ପଞ୍ଚାୟତ ର ସାଳନ୍ଦୀ ନଦୀର କୁଆ ମାହାରାରେ ଶହେ ଫୁଟ ଘାଇ ହେଵା ଯୋଗୁଁ ବାରୋ ଡିହ, ବଳିୟାର ପୁର, ଚବିଶ ପଡ଼ା, ଦହପାଣିଆ ଆଦି ଗାଁରେ ଚାଷ ଜମିକୁ ପୁଣି ଥରେ ବନ୍ୟା ପାଣି ମାଡିଛି । ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଇ ମରାମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *