ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ଭୌଗଳିକ କ୍ଷେତ୍ରର ମାନକ ନାମକୁ ଅଫିସିଆଲ୍ ଭାରତୀୟ ମାନଚିତ୍ରରେ ସାମିଲ କରିଛନ୍ତି ।
ଭାରତୀୟ ସର୍ବେକ୍ଷଣ ବିଭାଗ ପକ୍ଷରୁ ଏହି ସ୍ଥାନଗୁଡ଼ିକୁ ଆନୁଷ୍ଠାନିକ ଭାବେ ମାନଚିତ୍ରରେ ଚିହ୍ନଟ କରାଯାଇଛି, ଯାହାଫଳରେ ସେଗୁଡ଼ିକର ସଠିକ୍ ପରିଚୟ ସୁନିଶ୍ଚିତ ହୋଇପାରିବ । ଭାରତ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ। ଚୀନ୍ର ଏଭଳି ଅମୂଳକ କାର୍ଯ୍ୟାନ୍ୱୟନ ଦ୍ୱାରା ଜମିମାଳିକାନା କିମ୍ବା ବାସ୍ତବ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ନୂଆ ଭାବେ ଅଫିସିଆଲ୍ ମାନଚିତ୍ରରେ ସାମିଲ ହୋଇଥିବା ୨୭ଟି ପ୍ରମୁଖ ସ୍ଥାନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ ‘ଲୋଙ୍ଗ ଜୁ’ ଅଞ୍ଚଳ ମଧ୍ୟ ରହିଛି । ୧୯୫୯ ମସିହାରେ ଯେତେବେଳେ ଚୀନ୍ ସେନା ଏଠାରେ ପ୍ରଥମ କରି ଅନୁପ୍ରବେଶ କରିଥିଲା, ସେତେବେଳେ ଏହି ଅଞ୍ଚଳରେ ହିଁ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମ ସାମରିକ ସଂଘର୍ଷ ହୋଇଥିଲା।