ମୟୂରଭଞ୍ଜ : ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ । ୫ ବର୍ଷୀୟା ବାଘୁଣୀର ମୃତଦେହ ଉଦ୍ଧାର । ଶିମିଳିପାଳ ଟାଇଗର ରିଜର୍ଭର କୋର୍ ଅଞ୍ଚଳରେ ବାଘୁଣୀର ମୃତଦେହ ମିଳିଛି । ଶିମିଳିପାଳ ଦକ୍ଷିଣ ଡିଭିଜନର ଉପର ବାରହା କକୁଡ଼ା ରେଞ୍ଜ ଅଧୀନ ଜାତିଆଣୀ କ୍ୟାମ୍ପ ନିକଟରୁ କଳା ବାଘୁଣୀର ମୃତଦେହ ଉଦ୍ଧାର ହୋଇଛି । ଗତ ୬ ତାରିଖରେ ଜାତିଆଣୀ କ୍ୟାମ୍ପର ପାଟ୍ରୋଲିଂ କର୍ମଚାରୀ ବାଘୁଣୀର ମୃତଦେହ ଠାବ କରିଥିଲେ। ଖବର ପାଇବା ପରେ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଗତକାଲି NTCAର SOP ଅନୁସାରେ ପୋଷ୍ଟମର୍ଟମ୍ କରାଯାଇଥିଲା । ପୋଷ୍ଟମର୍ଟମ୍ ସମୟରେ ପ୍ରାଥମିକ ଭାବେ ବାଘୁଣୀର ଶରୀରରେ କୌଣସି ଆଘାତ ଚିହ୍ନ କିମ୍ବା ମୃତ୍ୟୁର ସ୍ପଷ୍ଟ କାରଣ ମିଳିନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳକୁ ସୁରକ୍ଷିତ କରାଯିବା ସହ ବାଘୁଣୀର ବିଭିନ୍ନ ଜୈବିକ ନମୁନା ସଂଗ୍ରହ କରାଯାଇଛି । ଟକ୍ସିକୋଲୋଜିକାଲ୍, ପାଥୋଲୋଜିକାଲ୍ ସହ ଅନ୍ୟାନ୍ୟ ପରୀକ୍ଷା ପାଇଁ ନମୁନାଗୁଡ଼ିକୁ ଭୁବନେଶ୍ୱର OUATର Centre for Wildlife Healthକୁ ପଠାଯାଇଛି । ଲାବୋରେଟୋରୀ ରିପୋର୍ଟ ଆସିବା ପରେ ବାଘୁଣୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ପୋଷ୍ଟମର୍ଟମ୍ ପରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ବାଘୁଣୀର ମୃତଦେହକୁ ଦାହ କରି ନଷ୍ଟ କରାଯାଇଛି । ପୋଷ୍ଟମର୍ଟମ ଠାରୁ ଆରମ୍ଭ କରି ମୃତଦେହ ପାଉଁଶରେ ପରିଣତ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ବାଘୁଣୀର ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ନା ଅନ୍ୟ କୌଣସି କାରଣ ରହିଛି, ତାହା ଲାବ୍ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ ।