Spread the love

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ସାଉଥ ଆଇଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି । ନ୍ୟୁଜିଲାଣ୍ଡର ସାଉଥ୍ ଆଇଲାଣ୍ଡରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ତେ ଆନାଉ’ (Te Anau) ଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତରରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା ।

ଭୂକମ୍ପ ପରେ ସେହି ଅଞ୍ଚଳରେ ୩.୩ ରୁ ୪.୩ ତୀବ୍ରତାର ଆଉ କେତେକ ଛୋଟ ଛୋଟ ଭୂକମ୍ପ ଝଟକା ମଧ୍ୟ ରେକର୍ଡ କରାଯାଇଛି । ଭୂକମ୍ପର ପ୍ରଭାବକୁ ଦେଖି ନ୍ୟୁଜିଲାଣ୍ଡର ନ୍ୟାସନାଲ୍ ଇମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ସତର୍କତା ଜାରି କରିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି ।

ଦକ୍ଷିଣ ଦ୍ୱୀପର ଓଟାଗୋ, ସାଉଥଲ୍ୟାଣ୍ଡ ଏବଂ କ୍ୟାଣ୍ଟରବରୀ ଭଳି ଅନେକ ଅଞ୍ଚଳରେ ଲୋକମାନେ ଦୀର୍ଘ ସମୟ ଧରି ଜୋରଦାର ଝଟକା ଅନୁଭବ କରିଥିଲେ । ସୁରକ୍ଷା ଦୃଷ୍ଟିରୁ କୁଇନ୍ସଟାଉନର ଏଡିଥ୍ କାଭେଲ୍ ବ୍ରିଜ୍କୁ ଇଞ୍ଜିନିୟରମାନଙ୍କ ଦ୍ବାରା ଯାଞ୍ଚ କରାଯିବା ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି । ଏହାସହ ରାସ୍ତାରେ ପଥର କିମ୍ବା ମାଟି ଧସିବା ଆଶଙ୍କା ଥିବାରୁ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଯାତ୍ରା କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *