Spread the love

ଭୁବନେଶ୍ୱର/ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଡିଜିଟାଲ ଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି (ବୁଧବାର) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି ।

ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଓକାକ (OCAC) ଦ୍ୱାରା ବିକଶିତ ହୋଇଥିବା ଏହି ନିରାପଦ ଡିଜିଟାଲ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି, ଯାହା ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱଚ୍ଛତାର ସହ ଦାନ କରିବାର ସୁବିଧା ପ୍ରଦାନ କରୁଛି।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା ଜରିଆରେ ସଂଗୃହିତ ଦାନ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ ହେବ । ଆଗାମୀ ଦିନରେ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା ଓ ଶ୍ରୀମନ୍ଦିରର ସର୍ବାଙ୍ଗୀନ ବିକାଶରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରଯୁକ୍ତିବିଦ୍ୟାଭିତ୍ତିକ ସଂସ୍କାର ପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ସହିତ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି।

Leave a Reply

Your email address will not be published. Required fields are marked *