Spread the love

ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ତାମିଲନାଡୁର କୁଡ଼ନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ର ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ଏକ ଅନ୍ତର୍ଜାତୀୟ ରାନସମୱେର୍ (ସାଇବର ଲୁଟେରା) ଗ୍ରୁପ୍ ‘ୱାର୍ଲ୍ଡ ଲିକ୍ସ’ ଏହି ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶର ବ୍ଲୁ-ପ୍ରିଣ୍ଟ୍ ଏବଂ ଯୋଗାଣକାରୀଙ୍କ ସମ୍ପର୍କିତ ତଥ୍ୟ ଡାର୍କ ୱେବ୍‌ରେ ପ୍ରକାଶ କରିଛି। ଏହି ତଥ୍ୟଗୁଡ଼ିକ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ଶିଳ୍ପପତି ଅନିଲ୍ ଅମ୍ବାନୀଙ୍କ ‘ରିଲାଏନ୍ସ ଗ୍ରୁପ୍‌’ର ସର୍ଭରରୁ ଚୋରି ହୋଇଥିବା ଦାବି କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶର ମୁଖ୍ୟ ସାଇବର ସୁରକ୍ଷା ସଂସ୍ଥା ‘ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍’ (ସିଇଆର୍‌ଟି-ଇନ୍) ଏବଂ ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ପରମାଣୁ ପ୍ଲାଣ୍ଟର ଅନ୍ୟତମ ଠିକାଦାର ଥିବା ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏହି ସାଇବର ଆକ୍ରମଣକୁ ସ୍ୱୀକାର କରାଯାଇଛି। ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ପକ୍ଷରୁ କୁହାଯାଇଛି ଯେ ତୃତୀୟ ପକ୍ଷ ଭାରତୀୟ ଡାଟା ସେଣ୍ଟର ସେବା ପ୍ରଦାନକାରୀ ସଂସ୍ଥା ‘ୟୋଟା’ ଦ୍ୱାରା ପରିଚାଳିତ ଏକ ସର୍ଭରରୁ ଏହି ତଥ୍ୟ ଆଂଶିକ ଭାବେ ଲିକ୍ ହୋଇଛି। ଗତ ମେ ୨୯ ତାରିଖରେ ୟୋଟା ସର୍ଭରରେ ସନ୍ଦେହଜନକ ଗତିବିଧି ଦେଖାଯାଇଥିଲା ଏବଂ ଜୁନ୍ ଶେଷ ସୁଦ୍ଧା ଡାଟା ବ୍ରିଚ୍ ବା ତଥ୍ୟ ଚୋରି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ଏହି ବିଷୟରେ କେନ୍ଦ୍ର ସରକାର ଏବଂ ପରମାଣୁ ଶକ୍ତି ନିଗମକୁ ଅବଗତ କରାଯାଇଛି। ହ୍ୟାକର୍ ଗ୍ରୁପ୍ ପାଖରେ ରିଲାଏନ୍ସର ପ୍ରାୟ ୮ ଲକ୍ଷ ୫୮ ହଜାର ଫାଇଲ୍ ରହିଥିବା ବେଳେ ସେଥିମଧ୍ୟରୁ ସବୁଠାରୁ ଗୁପ୍ତ ୧୯,୦୦୦ ଫାଇଲ୍‌କୁ ଇଣ୍ଟରନେଟ୍‌ରେ ସାର୍ବଜନୀନ କରାଯାଇଛି।

ସୌଭାଗ୍ୟବଶତଃ ପ୍ରକାଶିତ ଦଲିଲଗୁଡ଼ିକ ମଧ୍ୟରେ ପରମାଣୁ ରିଆକ୍ଟରର ମୂଳ ସଞ୍ଚାଳନ ବ୍ୟବସ୍ଥା (କୋର୍ ସିଷ୍ଟମ୍) ସମ୍ପର୍କିତ କୌଣସି ତଥ୍ୟ ନାହିଁ, ଯାହାକୁ ରୁଷ୍‌ର ସରକାରୀ ସଂସ୍ଥା ‘ରୋସାଟମ’ ଯୋଗାଇ ଦେଇଛି। କିନ୍ତୁ ଲିକ୍ ହୋଇଥିବା କାଗଜପତ୍ର ମଧ୍ୟରେ କୁଡ଼ନକୁଲମ ପ୍ଲାଣ୍ଟର ନିର୍ମାଣାଧୀନ ୟୁନିଟ୍-୩ ଏବଂ ୟୁନିଟ୍-୪ର ଭେଣ୍ଟିଲେସନ୍ ଏବଂ କୁଲିଂ(ଶୀତଳୀକରଣ) ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ୍ ରହିଛି। ଏହା ସହିତ ଏକ କମନ୍ କଣ୍ଟ୍ରୋଲ୍ ରୁମ୍‌ର ସମ୍ପୂର୍ଣ୍ଣ ଚଟାଣ ନକ୍ସା (ଫ୍ଲୋର୍ ଲେଆଉଟ୍), ଯୋଗାଣକାରୀ ସଂସ୍ଥାଗୁଡ଼ିକର ତାଲିକା, ୨୦୨୪ର ଏକ ମିଳିତ ଯାଞ୍ଚ ବୈଠକର ବିବରଣୀ ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ବୀମା ପଲିସିର ନକଲ ଏଥିରେ ସାମିଲ ଅଛି।

ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞ ଏବଂ ‘ନ୍ୟୁକ୍ଲିୟର ଥ୍ରେଟ୍ ଇନିସିଏଟିଭ୍’ର ବରିଷ୍ଠ ନିର୍ଦ୍ଦେଶକ ନିକୋଲାସ ରୋଥ୍‌ଙ୍କ ଅନୁଯାୟୀ, ଏହି ତଥ୍ୟ ଲିକ୍ ପରମାଣୁ ପ୍ଲାଣ୍ଟର ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବିପଦଜନକ ସଂଗଠନ ବା ଶତ୍ରୁ ପକ୍ଷ ଏହି ନକ୍ସା ସାହାଯ୍ୟରେ ପ୍ଲାଣ୍ଟର ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆକ୍ରମଣର ଯୋଜନା କରିବାର ଆଶଙ୍କା ରହିଛି। ୨୦୧୮ ମସିହାରେ ରିଲାଏନ୍ସ ଇନ୍‌ନଫ୍ରାଷ୍ଟ୍ରକ୍ଚର ଏହି ପ୍ଲାଣ୍ଟର ୟୁନିଟ୍-୩ ଓ ୪ ର ନିର୍ମାଣ ପାଇଁ ଚୁକ୍ତି ହାସଲ କରିଥିଲା, ଯାହା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।

କୁଡ଼ନକୁଲମ ପରମାଣୁ କେନ୍ଦ୍ର ସାଇବର ଆକ୍ରମଣର ଶିକାର ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୧୯ ମସିହାରେ ଉତ୍ତର କୋରିଆର ଏକ ହ୍ୟାକର୍ ଗ୍ରୁପ୍ ପକ୍ଷରୁ ଏହି ପ୍ଲାଣ୍ଟର ପ୍ରଶାସନିକ ନେଟୱର୍କକୁ ମାଲୱେର୍ ସାହାଯ୍ୟରେ ହ୍ୟାକ୍ କରାଯାଇଥିଲା। ବର୍ତ୍ତମାନ ତଥ୍ୟ ଲିକ୍ କରିଥିବା ‘ୱାର୍ଲ୍ଡ ଲିକ୍ସ’ ଗ୍ରୁପ୍ ପୂର୍ବରୁ ଭାରତର ଟାଟା ଗ୍ରୁପ୍‌କୁ ମଧ୍ୟ ଟାର୍ଗେଟ୍ କରିସାରିଛି। ଗତ ଜୁନ୍ ମାସରେ ଏହି ଗ୍ରୁପ୍ ଟାଟା ଗ୍ରୁପ୍ ନିକଟରୁ ଆପଲ୍ ଏବଂ ଟେସଲା କମ୍ପାନିର ଗୁପ୍ତ ତଥ୍ୟ ବଦଳରେ ୧.୫ ମିଲିୟନ୍ ଡଲାର ମାଗିଥିଲା ଏବଂ ଦାବି ପୂରଣ ନହେବାରୁ ତଥ୍ୟ ଲିକ୍ କରିଦେଇଥିଲା।

Leave a Reply

Your email address will not be published. Required fields are marked *