Spread the love

ପୁରୀ: ରାତି ପାହିଲେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଏହି ରଥଯାତ୍ରା ଦେଖିବାକୁ ଦୁର ଦୁରାନ୍ତର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପୁରୀ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି କୋଣାର୍କରେ ୧୦୦ ମିଲିମିଟର, ଅସ୍ତରଙ୍ଗରେ ୫୧ ମିଲିମିଟର ଏବଂ କାକଟପୁରରେ ୪୬ ମିଲିମିଟର ବର୍ଷା ହୋଇଛି। ବିଶେଷକରି ଅସ୍ତରଙ୍ଗ ଅଞ୍ଚଳରେ ଏବେ ମଧ୍ୟ ତୁହାକୁ ତୁହା ବର୍ଷା ସହ ହାଲୁକା ପବନ ବହୁଛି । ପାଣିପାଗର ଏଭଳି ପରିସ୍ଥିତିକୁ ଦେଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି । ଫଳରେ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ଓ ଟାପ୍ପାଗୁଡ଼ିକ ନଦୀକୂଳ ଏବଂ ମାଛଧରା ଘାଟରେ ଅଟକି ରହିଛି । ସମୁଦ୍ରକୁ ନ ଯାଇପାରିବାରୁ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଲଘୁଚାପର ପ୍ରଭାବ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ରହିବା ସହ ଲୋକଙ୍କୁ ଅନାବଶ୍ୟକ ବାହାରକୁ ନ ବାହାରିବା ଏବଂ ସମୁଦ୍ରକୂଳକୁ ନ ଯିବାକୁ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *