Spread the love

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମ ବ୍ରାଞ୍ଚ ବଡ଼ ଆକ୍ସନ ନେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛ। ଉକ୍ତ ମାମଲାରେ ଏତଲାରେ ନାମ ଥିବା ଆଉ ତିନିଜଣ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଛି।

ନୋଟିସ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ହାଜରା ସମୟରେ ସେମାନଙ୍କ ବୟାନ ରେକର୍ଡ କରାଯିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଜେରା କରାଯିବ। ତଦନ୍ତକାରୀ ସଂସ୍ଥା ସେମାନଙ୍କ ଭୂମିକା, ଦାୟିତ୍ୱ ପାଳନ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଅବହେଳା କିମ୍ବା ଅନିୟମିତତା ରହିଥିଲା କି ନାହିଁ, ସେନେଇ ଖୋଳତାଡ଼ କରିବ। ସୂଚନା ଅନୁଯାୟୀ, ତଦନ୍ତର ଅଂଶ ସ୍ୱରୂପ ସମ୍ପୃକ୍ତ ବିଭାଗର କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଇପାରେ ।

ସେଠାରୁ ଆବଶ୍ୟକ ଦସ୍ତାବିଜ, ଫାଇଲ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ତଦନ୍ତକୁ ଆଗକୁ ଜୋରଦାର କରାଯିବ। କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଯେ, ନିଜ ଦାୟିତ୍ୱ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ ଯଦି ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୁଅନ୍ତି କିମ୍ବା ତଦନ୍ତରେ ଅବହେଳା ବା ଷଡ଼ଯନ୍ତ୍ରର ପ୍ରମାଣ ମିଳେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ଏହି ତିନିଜଣ ଅଧିକାରୀ ନୁହେଁ, ପାଠ୍ୟପୁସ୍ତକ ପ୍ରସ୍ତୁତି, ଅନୁମୋଦନ, ସମ୍ପାଦନା ଓ ପ୍ରକାଶନ ପ୍ରକ୍ରିୟାରେ ଯେଉଁମାନଙ୍କର ଯେଉଁ ଦାୟିତ୍ୱ ଥିଲା, ସେମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ନୋଟିସ କରାଯିବ।

Leave a Reply

Your email address will not be published. Required fields are marked *