ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ସ୍ଥିତ ଭୋଜଶାଳା ପରିସରର ଧାର୍ମିକ ପରିଚୟ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ଏବଂ ମୁସଲିମ ଉଭୟ ପକ୍ଷଙ୍କ ଅଧିକାରକୁ କ୍ଷତି ନ ପହଞ୍ଚାଇ ଆଖପାଖରେ ଥିବା କିଛି ଅଞ୍ଚଳକୁ ଶୁକ୍ରବାର ନମାଜ ପାଠ ପାଇଁ ଉପଲବ୍ଧ କରାଯାଇପାରିବ । କୋର୍ଟ କହିଛନ୍ତି, ଆମେ ଦୁଇପକ୍ଷର ଅଧିକାରକୁ ନଜରରେ ରଖି ଶୁଣାଣି କରିବାକୁ ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ । ଧାର ଜିଲ୍ଲାର ବିବାଦୀୟ ୧୧ ଶତାବ୍ଦୀର ଭୋଜଶାଳା-କମଲ ମୌଲା ସଂକଳନକୁ ଦେବୀ ସରସ୍ୱତୀଙ୍କ ମନ୍ଦିର ବୋଲି ଘୋଷଣା କରାଯାଇଥିବା ହାଇକୋର୍ଟଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ଦ୍ୱାରା ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାକୁ ଯାଞ୍ଚ୍ କରାଯିବ ଏବଂ ମୁସଲିମ ସମ୍ପ୍ରଦାୟକୁ ଶୁକ୍ରବାର ଦିନ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଠ କରିବା ପାଇଁ ପରିସର ନିକଟରେ ଏକ ପୃଥକ ଖୋଲା ସ୍ଥାନ ଦିଆଯାଉ । ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଅନୁମତି ବିନା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) କୌଣସି ପରିବର୍ତ୍ତନ କରିବ ନାହିଁ । ଏବେ ଭୋଜଶାଳା ମାମଲା ୩ ସପ୍ତାହ ପରେ ଶୁଣାଣି ହେବ ।
ଭୋଜଶାଳା ପରିସର ଭିତରେ ନମାଜ ପଢିବାକୁ ନେଇ ଲାଗିଥିବା ରୋକ୍ ବଳବତ୍ତର ରହିବ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ମନା କରିଦେଇଛନ୍ତି । ଦୁଇ ପକ୍ଷକୁ ଏଭଳି ସମ୍ବେଦନଶୀଳ ମାମଲାରେ ସଂଯମତା ରଖିବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି.ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବ୍ୟବହୃତ ପ୍ରତ୍ୟେକ ଶବ୍ଦକୁ ଅତି ସତର୍କତାର ସହ ବିଚାର କରାଯିବା ଉଚିତ୍ । ଏଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହାଇକୋର୍ଟ ୧୫ ମଇରେ ନିଷ୍ପତ୍ତି ଶୁଣାଇ କହିଥିଲେ କି, ବିବାଦୀୟ ଭୋଜଶାଳା ପରିସରରେ ଦେବୀ ସରସ୍ବତୀକୁ ସମର୍ପିତ ମନ୍ଦିର । କୋର୍ଟ ମଧ୍ୟରେ ଏଏସଆଇ କୁ ୨୦୦୩ରେ ଦେଇଥିବା ଆଦେଶକୁ ରଦ୍ଦ କରିଥିଲେ । ଯେଉଁଥିରେ ମୁସଲିମ ସଂପ୍ରଦାୟକୁ ଏହି ସ୍ଥାନରେ ଶୁକ୍ରବାର ନମାଜ ପଢିବାକୁ ଅନୁମତି ଦିଆଯାଇଥିଲା ।