କଣ୍ଟାମାଳ : ବୌଦ୍ଧରେ ବୀଭତ୍ସ ହତ୍ୟାକାଣ୍ଡ । ବିଅର ବୋତଲରେ ଗଳା କାଟିବା ପରେ ପଥରରେ ଛେଚି ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ବର୍ବରୋଚିତ ଭାବେ ହତ୍ୟା କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ହେଉଛନ୍ତି ମନମୁଣ୍ଡା ଥାନା ଅନ୍ତର୍ଗତ ଋଷିବନ୍ଧ ଗାଁର କପିଲ ନାଏକ ।
ଫାଷ୍ଟଫୁଡ୍ ଦୋକାନ ପରିସର ପାଲଟିଲା ରଣକ୍ଷେତ୍ର । ମହୁଲି-ଡିଗି ରାସ୍ତା ମୁହାଣ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ସେଣ୍ଟର’ ପରିସରରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଦୁର୍ବୃତ୍ତମାନେ କପିଲଙ୍କୁ ଏକ କାଠ ଫାଲିଆ ଓ ବିଅର ବୋତଲରେ ତାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି । ଏତିକିରେ ହତ୍ୟାକାରୀଙ୍କ ମନ ବୁଝିନଥିଲା, ପରବର୍ତ୍ତୀ ସମୟରେ ବଡ଼ ପଥରରେ ତାଙ୍କ ମୁଣ୍ଡ ଓ ଶରୀରକୁ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ହିଁ କପିଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଛନ୍ତି । ସକାଳୁ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ମୃତକଙ୍କ ପରିବାରକୁ ଖବର ଦେଇଥିଲେ ।
ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମନମୁଣ୍ଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ମନମୁଣ୍ଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ ଓ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ବୀଭତ୍ସ ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ମୃତ କପିଲ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ।