ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଗୋପାଳପୁରା ଷ୍ଟେଟ ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଦ୍ରୁତଗାମୀ ବସ୍ ବାଇକରେ ଥିବା ୪ ସାଙ୍ଗକୁ ଚାପି ଦେଇଥିଲା । ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଥିଲା । ଜଣେ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ମୁତାବକ, ମୁରୈନା ନିବାସୀ ଆଶୁତୋଷ ବେଘଲ (୨୧), ଖରୋଲୀ ନିବାସୀ ରାମକେଶ ବଘେଲ (୧୯), ମୁରୈନାର ମୋହିତ ବଘେଲ (୨୦) ଏବଂ ମହିନ୍ଦ୍ର ନିବାସୀ ଅମିତ ବଘେଲ (୧୭) ସାଙ୍ଗ ହୋଇ ଗୋଟିଏ ବାଇକରେ ମେହନ୍ଦ୍ର ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ । ୪ ସାଙ୍ଗ ହସଖୁସିରେ ଯାଉଥିବା ବେଳେ ହାଇୱେର ଏକ ଅନିୟନ୍ତ୍ରିତ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା ।
ଧକ୍କା ଏତେ ଭୟଙ୍କର ଥିଲା ଯେ, ଧକ୍କା ହେବା ପରେ ବସ୍ ବାଇକକୁ ୫ କିମି ଯାଏଁ ଘୋଷାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଥିଲା । ଜଣେ କାର୍ ଚାଳକ ଏହା ଦେଖି ବସ୍ କୁ ଅଟକାଇଥିଲେ । ବସରୁ ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇବା ବେଳେ ବସ୍ ଚାଳକ ଫେରାର ହୋଇଯାଇଥିଲେ ।
ତେବେ ଘଟଣା ବିଷୟରେ ଖବର ପାଇଁ ପୋଲିସ ଅଧିକାରୀ ପହଞଚିଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାପରେ ତାଙ୍କୁ ଗ୍ବାଲିଅରକୁ ରେଫର କରାଯାଇଥିଲା । ମୃତକଙ୍କ ପରିବାରକୁ ଖବର ଦିଆଯିବା ପରେ ଘରେ ଦୁଃଖର ମାହୋଲ ରହିଛି ।