
ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଗିରଫ କରିବା ଆଶଙ୍କା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଶାସକ ମେଣ୍ଟର ସମସ୍ତ ବିଧାୟକମାନଙ୍କୁ ରାଞ୍ଚିରେ ଉପସ୍ଥିତ ରହିବା ଲାଗି କୁହାଯାଇଥିଲା। ବ୍ୟାଗ ସହିତ ପ୍ରସ୍ତୁତ ରହିବାକୁ ଶାସକ ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେପଟେ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି। ଏଥିପାଇଁ ବାରମ୍ବାର ସମନ ପରେ ବି ସେ ପଚରାଉଚରା ପାଇଁ ହାଜର ହେଉନାହାନ୍ତି। ଏପରିକି ରବିବାର ଠାରୁ ଇଡିକୁ ଭୂଆଁ ବୁଲାଉଛନ୍ତି। ଇଡି ଦିଲ୍ଲୀ ସ୍ଥିତ ଶାନ୍ତି ନିକେତରେ ପଶି ପ୍ରାୟ ନଗଦ ୩୬ ଲକ୍ଷ ଟଙ୍କା ଓ ୨ଟି ବିଏମ୍ଡବ୍ଲୁ କାର୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି।
ଦୀର୍ଘ ସମୟ ଧରି ହେମନ୍ତ ସୋରେନ୍ ଗାଏବ୍ ରହିବା ପରେ ବିଜେପି ତାଙ୍କୁ ନିଖୋଜ ବୋଲି ଘୋଷଣା କରି ପୋଷ୍ଟର ମାରିଛି। ଏଥିସହ ହେମନ୍ତ ସୋରେନ୍ଙ୍କୁ ଯିଏ ସୂଚନା ଦେବ ତାଙ୍କୁ ୧୧ ହଜାର ଟଙ୍କା ପରଷ୍କାର ରାଶି ମିଳିବ ବୋଲି ବିଜେପି ଘୋଷଣା କରିଥିଲା।
ପ୍ରକାଶ ଥାଉ କି, ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ଖୋଜୁଛି ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଥର ସମନ ପଠାଇବା ସତ୍ତ୍ୱେ ସେ ହାଜର ହୋଇନଥିଲେ। ଏହାପରେ ଇଡି ତାଙ୍କ କାର୍ଯ୍ୟାଳୟ କିମ୍ବା ଘରେ ଜେରା କରିବ ବୋଲି କହିଥିଲା।