
ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ହ୍ବିଲଚେୟାର ସଂଖ୍ୟା ବୃଦ୍ଧି ହେବ। ଦିବ୍ୟାଙ୍ଗ ଭୋଟରଙ୍କୁ ଯେପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ ସେଥି ପାଇଁ ଏପରି ବ୍ୟବସ୍ଥା କରାଯିବ। ଯେଉଁଠି ଅଧିକ ଆବଶ୍ୟକ ଅଛି, ସେଠାରେ ECI ଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକ ମଗାଯାଇଛି ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ପୂର୍ବରୁ ବୁଥ ପିଛା ଗୋଟିଏ ହ୍ବିଲଚେୟାରର ବ୍ୟବସ୍ଥା କରାଯାଉଥିଲା।ଏବେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ। ଜନଗଣନା ଅନୁସାରେ ଯେଉଁ ଅଂଚଳରେ ଅଧିକ ଦିବ୍ୟାଙ୍ଗ ଥିବେ, ସେଠାରେ ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବ। ଯେହେତୁ ଓଡ଼ିଶାରେ ହ୍ବିଲଚେୟାର ନିର୍ମାଣ କମ୍ପାନୀ ନାହିଁ, ସେଥିପାଇଁ କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOରୁ ହ୍ବିଲଚେୟାର ଅଣାଯିବ। ଆବଶ୍ୟକତା ଅନୁସାରେ ବରାଦ ଦିଆଯାଇଛି। ଯେପରି କମ ନ ପଡ଼ୁ ସେଥିପାଇଁ ଅତିରିକ୍ତ ୫% ହ୍ବିଲଚେୟାରର ବରାଦ ଦିଆଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ କହିଛନ୍ତି।