ପାକିସ୍ତାନ: ପାକିସ୍ତାନରେ ଧର୍ମନିନ୍ଦା ଅଭିଯୋଗ ପରେ ଖ୍ରୀଷ୍ଟିଆନ୍ ପରିବାର ଭୟଭୀତ ।ଧର୍ମନିନ୍ଦା ଅଭିଯୋଗକୁ ନେଇ ମୁସଲିମ୍ ସମ୍ପ୍ରଦାୟର ଏକ ଉତ୍ତ୍ୟକ୍ତ ଜନତା ଜଣେ ଖ୍ରୀଷ୍ଟିଆନ୍ ବ୍ୟକ୍ତିଙ୍କ ଘର ଓ ଔଷଧ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ରହିଛି । ପୁଣି ଆକ୍ରମଣ ହେବାର ଆଶଙ୍କାରେ ୩୫ରୁ ଅଧିକ ଖ୍ରୀଷ୍ଟିଆନ୍ ପରିବାର ନିଜ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି । ଏହି ଶନିବାର ପୋଲିସ ଏହି ସୂଚନା ଦେଇଛି ।
ପୋଲିସର ସୂଚନା ଅନୁସାରେ, ଏହି ଘଟଣା ଗୁରୁବାର ଦିନ ଲାହୋରଠାରୁ ପ୍ରାୟ ୫୦ କିଲୋମିଟର ଦୂର ଶେଖୁପୁରା ଜିଲ୍ଲାର ଘଡ଼ିଆଲ କଲାଁ ଗାଁରେ ଘଟିଥିଲା। ୪୦ ବର୍ଷୀୟ କାମରାନ୍ ଗୁଲ୍ ମସିହଙ୍କ ଉପରେ ସୋସିଆଲ୍ ମିଡିଆରେ ଧର୍ମନିନ୍ଦା ସମ୍ପର୍କିତ ଆପତ୍ତିଜନକ ବିଷୟବସ୍ତୁ ସେୟାର କରିଥିବା ଅଭିଯୋଗ ହେବା ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପୋଲିସ ଅଧିକାରୀ ଜୁବେର ଆବ୍ବାସ କହିଛନ୍ତି ଯେ ମସିହଙ୍କୁ ଗିରଫ କରାଯାଇଛି ଏବଂ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଏକ ସ୍ଥାନୀୟ ମସଜିଦରୁ ଘୋଷଣା ହେବା ପରେ ମସିହଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଉତ୍ତ୍ୟକ୍ତ ଜନତା ପ୍ରଥମେ ତାଙ୍କ ଘରେ ନିଆଁ ଲଗାଇଥିଲେ ଏବଂ ପରେ ତାଙ୍କ ଔଷଧ ଦୋକାନକୁ ମଧ୍ୟ ଜାଳି ଦେଇଥିଲେ ବୋଲି ଆବ୍ବାସ କହିଛନ୍ତି । ଉତ୍ତ୍ୟକ୍ତ ଜନତା ଆସୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆକ୍ରମଣ ଭୟରେ ୩୫ରୁ ଅଧିକ ପରିବାର ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ମସିହଙ୍କ ସମ୍ପର୍କୀୟ ଓ ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କ ବିରୋଧରେ ପାକିସ୍ତାନର ଧର୍ମନିନ୍ଦା ଆଇନର କେଉଁ ଧାରା ଲାଗୁ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ।
ଏଫ୍ଆଇଆର୍ ଅନୁସାରେ, ଅଭିଯୋଗକାରୀ ପୋଲିସ ଅଧିକାରୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇଥିଲେ ଯେ କାମରାନ୍ ଗୁଲ୍ ମସିହ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଅଭିଯୋଗ ଅନୁସାରେ, ଜନ୍ ଶାକି ନାମକ ଜଣେ ବ୍ୟବହାରକାରୀ ଏହାର ଗୋଟିଏ ଦିନ ପୂର୍ବରୁ ଭିଡିଓଟି ଅପଲୋଡ୍ କରିଥିଲେ । ପୋଲିସ ଅଧିକାରୀମାନେ ଭିଡିଓଟିକୁ ନିଜ ମୋବାଇଲ୍ରେ ଡାଉନଲୋଡ୍ କରିଥିଲେ। ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଏହାକୁ ଏକ USB ଡ୍ରାଇଭ୍ରେ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ସିଲ୍ କରି ଜବତ କରାଯାଇଛି ।