
ସେ କହିଥିଲେ, ମହିଳା ସଶକ୍ତୀକରଣ ସହ ଗରିବ ଲୋକଙ୍କ ଉନ୍ନତି କରିବା ପାଇଁ ସବୁ ଦଳ କହୁଥିଲେ। କିନ୍ତୁ ସେମାନଙ୍କୁ ଆଗକୁ ନେବାକୁ ଓ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ସୁଯୋଗ ସୃଷ୍ଟି କରିଥିଲେ। ତ୍ରିପୁରା ପରି ଏକ ଛୋଟ ରାଜ୍ୟର ଏକ ଛୋଟ ଗାଁର ଚାଷୀ ପରିବାରରୁ ମୁଁ ଆସିଛି । କଂଗ୍ରେସରେ ଥିଲେ ମୁଁ ବ୍ଲକ ଅଧ୍ୟକ୍ଷଟିଏ ବି ହୋଇପାରିନଥା’ନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କେନ୍ଦ୍ର ମନ୍ତ୍ରୀ ପଦରେ ବସାଇଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଅହରହ କାମ କରୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ବହୁ କାର୍ଯ୍ୟ ଚାଲିଛି।
ପ୍ରତିମା ଭୌମିକ କହିଥିଲେ, ୨ ବର୍ଷରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ମୋ ରାଜ୍ୟରେ ୫୬ ହଜାର ଗ୍ରୂପ ଥିବା ବେଳେ ୫ ଲକ୍ଷରୁ ଅଧିକ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ହଜାର ଲକ୍ଷପତି ଦିଦି ହୋଇ ସାରିଲେଣି।
ମହିଳାମାନଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ନୂଆ ଯୋଜନା ଆଣୁଛନ୍ତି। ଆଗକୁ ମୋଦିଙ୍କ ‘ନମୋ ଡ୍ରୋନ ଦିଦି’ ଆସୁଛି। ଏହି ଯୋଜନାରେ ମହିଳାମାନେ ରିମୋର୍ଟ ଜରିଆରେ ଡ୍ରୋନ ଉଡ଼ାଇବେ। ଡ୍ରୋନ ଜରିଆରେ ଚାଷ ଜମିରେ ଔଷଧ, କିଟନାଶକ ସିଞ୍ଚନ କରିବାକୁ ମହିଳାମାନଙ୍କୁ ତାଲିମ ଦିଆଯିବ । ୨୦୨୫ ମସିହା ପର୍ଯ୍ୟନ୍ତ ୧୫ ହଜାର ମହିଳାଙ୍କୁ ଏଥିନିମନ୍ତେ ତାଲିମ ଦିଆଯିବ ବୋଲି ଟାର୍ଗେଟ ରଖାଯାଇଥିବା ସେ କହିଥିଲେ।
ଏଥିସହ ପ୍ରତିମା ଭୌମିକ କହିଥିଲେ, ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସୁପ୍ତ ହୋଇ ପଡ଼ିଥିବା ବେଳେ ଏବେ ସେଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଲାଣି। ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅରୁଣାଚଳରେ ପ୍ରଥମ ଏୟାରପୋର୍ଟ ନିର୍ମାଣ ହେଲା। ଏବେ ନର୍ଥଇଷ୍ଟ ଇଣ୍ଡିଆ ଭାରତର ନୂଆ ଇଞ୍ଜିନ ପାଲଟିଛି। ଗୌହାଟିରେ ଏମ୍ସ ସ୍ଥାପିତ ହୋଇଛି। ବନ୍ଦେ ଭାରତ ବି ଏଠାରୁ ଆରମ୍ଭ ହୋଇଛି। ଏହା କେବଳ ମୋଦିଙ୍କ ପାଇଁ ସମ୍ଭବ ହୋଇପାରିଛି।