
୨୦୧୪ ଏପ୍ରିଲ୍ ୨୩ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ୫୪ ବର୍ଷୀୟ ଶକୁନ୍ତଳା ସାହୁଙ୍କ ପ୍ରଥମ ଅସ୍ଥିମଜ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ଏହାର ପରଦିନ ଅର୍ଥାତ୍ ୨୪ତାରିଖରେ ଯାଜପୁର ଜିଲା ୫୭ ବର୍ଷୀୟ ଡି. ଜେନାଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା । ଗୋଟିଏ ପରେ ଗୋଟିଏ ସଫଳ ପ୍ରତିରୋପଣ ପରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା । ଏଯାଏ ୧୪୬ଟି ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇସାରିଲାଣି । ପୂର୍ବ ଭାରତର କୌଣସି ସରକାରୀ ହସ୍ପିଟାଲ୍ ଏଯାବତ୍ ୧୪୬ ଅସ୍ଥିମଜ୍ଜା ପ୍ରତିରୋପଣ କରିବାରେ ଏସସିବି ପ୍ରଥମ ।
ପୂର୍ବରୁ ଏସସିବିରେ ଅଟୋଲୋଗସ ଓ ଆଲୋଜେନିକ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଥିବା ବେଳେ ଏବେ ହାପଲୋ ଭଳି ଅତ୍ୟାଧୁନିକ କୌଶଳରେ ଅସ୍ତ୍ରୋପଚାର ସଫଳ ହୋଇ ପାରିଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି । ଆଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ଉଭୟ ଦାତା ଓ ଗ୍ରହୀତାଙ୍କ ହ୍ୟୁମାନ ଲୁକୋସାଇଟ ଆଣ୍ଟିଜେନ-ଏଚଏଲଏ ୯୦ ପ୍ରତିଶତରୁ ଅଧିକ ମେଳ ଖାଇବାର ଆବଶ୍ୟକତା ଥିବା ବେଳେ ହାପଲୋ ପଦ୍ଧତିରେ ୫୦ ପ୍ରତିଶତ ଏଚଏଲଏ ମେଳ ଖାଉଥିଲେ ମଧ୍ୟ ପ୍ରତିରୋପଣ ସମ୍ଭବପର ହୋଇଥାଏ । ଏସସିବିରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ପ୍ରଣାଳୀରେ ଅସ୍ଥିମଜ୍ଜା ପ୍ରତ୍ୟାରୋପଣ କରାଯାଇଛି।