ଇମ୍ଫାଲ: ମଣିପୁରର କାମଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ନୂତନ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ନାଗା ବହୁଳ କାମଜୋଙ୍ଗ ଜିଲ୍ଲାର କୁକି-ପ୍ରଧାନ ଚାସାଦ ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ପାଞ୍ଚଜଣ ସନ୍ତାନର ମା’ ସମ୍ପୃକ୍ତ ମହିଳାଙ୍କୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା।
ଗୁଳି ବିନିମୟ, ୫ ମୃତ
୩୫ ବର୍ଷ ବୟସ୍କ ନଗାଚାନସୋ ନିଙ୍ଗସେନ ଓ ୪୮ ବର୍ଷୀୟ ଲେଇଶିଶାନ ଲେଇଶାଡାଙ୍ଗଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣା ପରେ ସୁରକ୍ଷା ବାହିନୀ ଗାଁକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ଯେ, ଆକ୍ରମଣକାରୀମାନେ ଗୁଳି ଚଳାଇ ମ୍ୟାମାର ପାର୍ଶ୍ୱକୁ ପଳାଇ ଯାଇଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କାମଜୋଙ୍ଗ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।
ଉଖରୁଲ୍ ଜିଲ୍ଲାରେ ଏକ ପୃଥକ ଘଟଣାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଚେପୁ ୟାଓଲେନ ନିକଟରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ସନ୍ଦୀପ ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ରାୟ ତାଙ୍କ ଗାଡ଼ି ଚଲାଉଥିବାବେଳେ ଚାରିଚକିଆ ଗାଡ଼ି ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ଘଟି ୪୦ ରୁ ଅଧିକ ଲୋକଙ୍କ ହତ୍ୟା କରାଯାଇଛି ଓ ୧୨ ଅଧିକ ଘର ପୋଡ଼ି ଦିଆଯାଇଛି।