Spread the love

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଆଇଡିଏସ୍ଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ୱପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ ଖାରଜ ହେବା ପରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲିଠାରୁ ଏହି ଧାରଣା ଜାରି ରହିଥିବା ବେଳେ ସ୍ୱପ୍ନାରାଣୀ ଆମରଣ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନ ମଧ୍ୟରେ ପୋଲିସ ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏହାପରେ ଠେଲାପେଲା ଘଟଣା ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇଥିବା ପୋଲିସ କର୍ମଚାରୀ ମଦ୍ୟପାନ କରିଥିବା କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା ମଦ୍ୟପାନ ଅଭିଯୋଗ ଏବଂ ଠେଲାପେଲା ଘଟଣାକୁ ନେଇ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ ଆଗକୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।

ସ୍ବପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ କାଏମ

ତେବେ ପ୍ରାର୍ଥୀପତ୍ରକୁ ନେଇ ହୋଇଥିବା ବିବାଦ ମଧ୍ୟରେ ଶୁକ୍ରବାର ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଗତକାଲି ନାମାଙ୍କନ ବେଳେ ରେଭେନ୍ସା କର୍ତ୍ତୃପକ୍ଷ ଏଆଇଡିଏସଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ବପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନକୁ ଖାରଜ କରିଦେଇଥିଲେ। ଯାହାକୁ ନେଇ ସ୍ବପ୍ନାରାଣୀ ଓ ତାଙ୍କ ସମର୍ଥକମାନେ କୁଳପତିଙ୍କ ଅଫିସ ଆଗରେ ଆମରଣ ଅନସନରେ ବସିଥିଲେ। କିନ୍ତୁ ଚୂଡ଼ାନ୍ତ ତାଲିକା ପ୍ରକାଶ ସମୟରେ ରେଭେନ୍ସା କର୍ତ୍ତୃପକ୍ଷ ସ୍ବପ୍ନରାଣୀ ପ୍ରଧାନଙ୍କ ସଭାପତି ପ୍ରାର୍ଥୀ ଭାବେ ତାଙ୍କ ନାମାଙ୍କନ ପତ୍ରକୁ କାଏମ ରଖିଛନ୍ତି। ରେଭେନ୍ସା କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିବା ସହ ଏହି ବିଜୟ ଛାତ୍ରଛାତ୍ରୀ ଶକ୍ତିର ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *